ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୭(ଓଡ଼ିଶା ଡ଼ଟ୍ କମ୍) ନିକଟରେ ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଥିବା ଲକ୍ଷ୍ମୀପୁର ବିଧାୟକ ଝିନ ହିକକା କିସ୍ ପରିଦର୍ଶନରେ ଆସି ଏଠାରେ ଦୀର୍ଘ ଚାରି ଘଣ୍ଟା ଅତିବାହିତ କରିଛନ୍ତି ।
ମୁକ୍ତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି ସେ ପୁରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ ପରେ ଗତ ଶୁକ୍ରବାର କିସ୍ ପରିଦର୍ଶନରେ ଆସିଥିଲେ ।
ତାଙ୍କ ମୁକ୍ତି ପାଇଁ କିସ୍ ଛାତ୍ରଛାତ୍ରୀଙ୍କ ପ୍ରାର୍ଥନା ଠାକୁର ଶୁଣିଛନ୍ତି ବୋଲି ସେ ଆଲୋଚନା ଅବସରରେ କହିଲେ ।
ସୂଚନାଯୋଗ୍ୟ, ଝିନଙ୍କ ଉଦ୍ୟମରେ ପ୍ରତିବର୍ଷ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ତଥା ନାରାୟଣପାଟଣା ଓ ବନ୍ଧୁଗାଁ ଆଦି ଅଞ୍ଚଳରୁ ବହୁ ଆଦିବାସୀ ଛାତ୍ରଛାତ୍ରୀ କିସ୍ ରେ ଭର୍ତି ହୋଇଥାନ୍ତି ।
ବର୍ଷ ତମାମ ଝିନ କିସ୍ ଆସି ଏହି ପିଲାଙ୍କ ଭଲମନ୍ଦ ବୁଝିଥାନ୍ତି । ଝିନଙ୍କ ଉଦ୍ୟମରେ ଲକ୍ଷ୍ମୀପୁର ଅଞ୍ଚଳରୁ ବହୁ ଛାତ୍ରଛାତ୍ରୀ କିସ୍ ରେ ନାମ ଲେଖାଇଥାନ୍ତି ବୋଲି ତାଙ୍କୁ ମୁକ୍ତ କରିବା ପୂର୍ବରୁ ମାଓବାଦୀଙ୍କ ଦ୍ୱାରା ଆୟୋଜିତ ପ୍ରଜାକୋର୍ଟରେ ଉପସ୍ଥିତ ଆଦିବାସୀମାନେ ମାଓବାଦୀଙ୍କୁ କହିଥିଲେ ।
କିସ୍ ରେ ନାମ ଲେଖାଇବା ସମୟ ଅତିକ୍ରାନ୍ତ ହୋଇଯାଉଥିବାରୁ ତୁରନ୍ତ ତାଙ୍କୁ ମୁକ୍ତ କରାନଗଲେ ସେମାନଙ୍କ ପିଲାମାନେ କିସ୍ ରେ ଭର୍ତି ହୋଇପାରିବ ନାହିଁ ବୋଲି ସେମାନେ କହିଥିଲେ ।
ପ୍ରଜାକୋର୍ଟରେ ଉପସ୍ଥିତ ଆଦିବାସୀମାନେ କିସ୍ ର ମହତ କାର୍ଯ୍ୟ ସଂପର୍କରେ ଜାଣି ସନ୍ତୋଷ ପ୍ରକାଶ କରିଥିବା ବେଳେ କିସ୍ ସଂପର୍କରେ ସେଠାରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିବା ଝିନ ଆଲୋଚନା ସମୟରେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍