Site icon Odisha.com

ନିହତ ଏଏସ୍ଆଇଙ୍କ ପରିବାରକୁ ବୀମା ଓ ସ୍ୱତନ୍ତ୍ର ପେନ୍ସନ୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୮(ଓଡ଼ିଶା ଡ଼ଟ୍ କମ୍) ନୂଆପଡ଼ା ଜିଲ୍ଲାରେ ମଙ୍ଗଳବାର ମାଓବାଦୀମାନେ ହତ୍ୟା କରିଥିବା କାର୍ଯ୍ୟରତ ପୋଲିସ ଏଏସ୍ଆଇଙ୍କ ପରିବାର ପାଇଁ ସରକାର ସ୍ୱତନ୍ତ୍ର ପେନ୍ସନ୍ ଘୋଷଣା କରିଛନ୍ତି ।

ନିହତ ମାଝୀଙ୍କ ନିକଟତମ ଆତ୍ମୀୟଙ୍କୁ ସରକାରୀ ଚାକିରୀ ସହିତ ଆଠ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହାସହ ବୀମା ରାଶି ବାବଦ ଦଶ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଏହି ହତ୍ୟା ଘଟଣାକୁ ସେ ଅତ୍ୟନ୍ତ ଅମାନୁଷିକ ଓ ବର୍ବର ବୋଲି ଅଭିହିତ କରି ଏଥିରେ ସଂପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି ।

ଧରମବନ୍ଧା ଫାଣ୍ଡି ଏଏସ୍ଆଇ କୃପାରାମ ମାଝୀ ନିକଟସ୍ଥ ସିଆର୍ପିଏଫ୍ କ୍ୟାମ୍ପକୁ ପାଣି ଟାଙ୍କି ନେଇ ଯାଉଥିବା ବେଳେ ପ୍ରାୟ ୧୦ରୁ ୨୦ ଜଣ ମାଓବାଦୀ ତାଙ୍କୁ ଅପହରଣ କରି ନେଇଥିଲେ । ତାଙ୍କ ସହ ଥିବା କନେଷ୍ଟବଳ ଦେବନାରାୟଣ ସାହୁଙ୍କୁ ସେମାନେ ଛାଡ଼ି ଦେଇଥିଲେ ।

ପରେ ପୋଲିସ କୁମ୍ବିଂ ଅପରେଶନରେ ସେହି ଅଞ୍ଚଳକୁ ଯାଇଥିବା ବେଳେ ମାଝୀଙ୍କ ଗୁଳିବିଦ୍ଧ ମୃତଦେହ ଠାବ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version