Site icon Odisha.com

ରଥଯାତ୍ରା ପାଇଁ ୬୦ ଡ଼ାକ୍ତର, ୫୪ ଫାର୍ମାଶିଷ୍ଟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୦(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ବିପୁଳ ଜନ ସମାଗମକୁ ଦୃଷ୍ଟିରେ ରଖି ଚିକିତ୍ସା ପ୍ରଦାନ ପାଇଁ ୬୦ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯିବ ବୋଲି ଗୁରୁବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଏହାବ୍ୟତୀତ ୫୪ ଜଣ ଫାର୍ମାଶିଷ୍ଟ , ୭୭ ଜଣ ସ୍ୱାସ୍ଥ୍ୟ କର୍ମୀ , ୨୦ ଜଣ ସେବିକା ଏବଂ ୨୮ ଜଣ ଓା୍ୱର୍ଡ ଆଟେଣ୍ଡାନ୍ଟ ନିୟୋଜିତ ହେବେ ।

ପୁରୀ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି । ୧୦୦ ୟୁନିଟ୍ ରକ୍ତ ମହଜୁଦ ସମେତ ୨୦ଟି ସରକାରୀ ଆମ୍ବୁଲାନ୍ସ ରଖାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କୁହାଯାଇଛି ।

ରଥଯାତ୍ରା ସମୟରେ ଦେଶ ବିଦେଶରୁ ଦଶ ଲକ୍ଷରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ଦୃଷ୍ଟିରୁ ମାହାମାରୀ
ନିରାକରଣ ପାଇଁ ଜିଲ୍ଲାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ପୌରପରିଷଦ ଅଞ୍ଚଳରେ ଥିବା ପାନୀୟ ଜଳ ଉତ୍ସଗୁଡିକୁ ତିନୋଟି ପର୍ଯ୍ୟାୟରେ ବିଶୋଧନ କରାଯିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି ।

ପୁରୀ ସଂକ୍ରାମକ ରୋଗ ଡାକ୍ତରଖାନାରେ ଝାଡାବାନ୍ତି ରୋଗୀ ମାନଙ୍କ ମଳ ନମୂନାର ବିଶେଷ ପରୀକ୍ଷା କରାଯାଇ ଯଦି କୌଣସି ହଇଜା ରୋଗ ଜୀବାଣୁ ବାହାରିବ ତାହା ହେଲେ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ଓ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରାଯିବ ।

ସେହିପରି ପୁରୀ ସହର ଏବଂ ଏହାକୁ ସଂଯୋଗ କରୁଥିବା ରାଜପଥ ପାର୍ଶ୍ଵରେ ସରକାରଙ୍କ ପକ୍ଷରୁ ୨୧ଟିଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ । ଏହି ଆଶୁ ଚିକିତ୍ସା କେନ୍ଦ୍ର ଗୁଡିକ ଆସନ୍ତା ଜୁନ୍ ୧୮ରୁ ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ ।

ଖାଦ୍ୟପେୟ ଅପମିଶ୍ରଣ ପ୍ରତିରୋଧ ପାଇଁ ଖାଦ୍ୟ ନିରୀକ୍ଷକଙ୍କୁ ମୁତୟନ କରାଯିବା ସହିତ ଭ୍ରାମ୍ୟମାଣ ଅଦାଲତ, ରଥ ଟଣା ସମୟରେ ପ୍ରତି ରଥ ଘେର ମଧ୍ୟରେ ଆଶୁ ଚିକିତ୍ସା ବ୍ୟବସ୍ଥା କରାଯିବ ।

ଏହି ସମୟରେ ଦୁର୍ଘଟଣା, ଝାଡାବାନ୍ତି, ହୃଦରୋଗ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗର ପ୍ରତିରୋଧ ପାଇଁ ଯଥେଷ୍ଟ ପରିମାଣର ଆବଶ୍ୟକୀୟ ଔଷଧ ଓ ବିଶୋଧକ ମହଜୁଦ ରଖାଯିବ ।

ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ପାଇଁ ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାର ସହ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ମଣ୍ଡପ ଖୋଲାଯିବ । ଏହି ମଣ୍ଡପରେ ପ୍ରତ୍ୟେକଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ବନ୍ଧୀୟ ସଚେତନା ମୂଳକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ସ୍ଥିର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version