Site icon Odisha.com

ଜିଲ୍ଲାପାଳ-ଓକିଲ ବିବାଦ ନେଇ ମହିଳା କମିଶନଙ୍କ ରିପୋର୍ଟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମଇ ୧୦(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲାପାଳ ଓ ଓକିଲ ସଂଘ ବିବାଦ ଉପରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ତଦନ୍ତ କରି ଗୁରୁବାର ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି ।

କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଦେଇଥିବା ୫ ପୃଷ୍ଠା ସମ୍ବଳିତ ରିପୋର୍ଟରେ ଘଟଣା ପାଇଁ ସେ କାହାକୁ ଦୋଷ ଦେଇ ନଥିବା ବେଳେ ସରକାରଙ୍କୁ ତିନୋଟି ପ୍ରସ୍ତାବ ଦେଇଛନ୍ତି ।

ଓଡ଼ିଶା ବାର କାଉନସିଲ୍ ଅଧ୍ୟକ୍ଷ, ସମ୍ବଲପୁର ଓକିଲ ସଂଘର ସଭାପତି ଓ ଆଇଏଏସ୍ ସଂଘର ସଭାପତିଙ୍କୁ ନେଇ ସରକାର ଏ ସଂପର୍କରେ ଆଲୋଚନା କରନ୍ତୁ ।

ଏଭଳି ପରିସ୍ଥିତି ଯେଭଳି ପୁନର୍ବାର ନଘଟିବ ସେଦିଗରେ ସରକାର ଧ୍ୟାନ ଦିଅନ୍ତୁ ଏବଂ ସରକାର ଅଧିକ ସଂଖ୍ୟକଫୋର୍ସ ରଖନ୍ତୁ । ଯାହାଦ୍ୱାରାଏଭଳି ଘଟଣାକୁ ରୋକାଯାଇ ପାରିବ ବୋଲି ସେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

ଗତ ଅପ୍ରେଲ ୨୩ରେ କେତେକ ଲୋକ ଜମି କିଣାବିକା ପାଇଁ ସବ୍ ରେଜିଷ୍ଟ୍ରାର୍ ଅଫିସ୍ କୁ ଯାଇଥିବା ବେଳେ ସେଠାରେ ପାଟିତୁଣ୍ଡ ହୋଇଥିଲା । ସବ୍ ରେଜିଷ୍ଟ୍ରାରଙ୍କ ଅଫିସ୍ ରେ ଲୋକମାନେ ଭଙ୍ଗାରୁଜା କରିଥିଲେ ।

ସବ୍ରେଜିଷ୍ଟ୍ରାର ଏସଂପର୍କରେ ତୁରନ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ବାରରେ  ପହଞ୍ଚି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କୁ ଗାଳିଗୁଲଜ କରିଥିବା ଓକିଲମାନେ ଅଭିଯୋଗ କରିଥିଲେ ।

ଓକିଲମାନେ ଏଥିରେ ଉତ୍କକ୍ଷିପ୍ତ ହୋଇ ଜିଲ୍ଲାପାଳଙ୍କୁ ତୁରନ୍ତ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ କହିଥିଲେ । ପରେ ଓକିଲ ଓ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ ।

ଏହି ଘଟଣାକୁ ନେଇ ଜିଲ୍ଲାପାଳ ମହିଳା କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ । ପରେ କମିଶନ ଅଧ୍ୟକ୍ଷା
ସମ୍ବଲପୁର ଯାଇ ଘଟଣା ସଂପର୍କରେ ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version