Site icon Odisha.com

ପୌର ସ୍ୱାସ୍ଥ୍ୟ ବିଭାଗରେ ଅଗ୍ନିକାଣ୍ଡ, ଜରୁରୀ କାଗଜପତ୍ର ନଷ୍ଟ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମଇ ୧୧(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ସ୍ୱାସ୍ଥ୍ୟ ବିଭାଗରେ ଶୁକ୍ରବାର ନିଅାଁଲାଗି ବହୁ ଜରୁରୀ କାଗଜପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ପୋଲିସ କହିଛି ।

ପୂର୍ବାହ୍ନରେ ସଟ୍ ସର୍କିଟ୍ ଯୋଗୁଁ ପୌରପରିଷଦର ସ୍ୱାସ୍ଥ୍ୟ ବିଭାଗରେ ନିଆଁ ଲାଗିଯାଇଥିଲା । ଏହା ଦେଖି ସେଠାରେ ଥିବା କର୍ମଚାରୀ ଅଗ୍ନିଶମ ବିଭାଗକୁ ଖବର ଦେବା ସହ କାର୍ଯ୍ୟାଳୟର ଜରୁରୀ କାଗଜ ଓ ଫାଇଲପତ୍ର ସ୍ଥାନାନ୍ତର କରିଥିଲେ ।

ମାତ୍ର ନିଆଁ ଶୀଘ୍ର ବ୍ୟାପୀଯିବାରୁ କେବଳ ଅଳ୍ପ କିଛି କାଗଜପତ୍ର ହିଁ ଉଦ୍ଧାର କରାଯାଇ ପାରିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ପ୍ରାୟ ୨ଘଂଟା ସମୟ ଲାଗିଥିଲା ।

ପୌରପରିଷଦର ସ୍ୱାସ୍ଥ୍ୟ ବିଭାଗକୁ ଲାଗିଥିବା ପରିଷଦର ଷ୍ଟୋର୍ ରୁମକୁ ମଧ୍ୟ ଏହି ନିଆଁ ବ୍ୟାପୀଯିବାରୁ ସେଠାରେ ଥିବା ଲକ୍ଷାଧିକ ଟଙ୍କାର ବ୍ଲିଚିଂପାଉଡର, ଫିନାଇଲ, ମଶାମରା ତେଲ, ଟ୍ୟୁବ୍, ସେସପୋଲ ମେସିନ ପାଇପ୍, ପୁରୁଣା ଓ ନୂଆ ଚେୟାର, ଟେବୁଲ୍, କାଠ ଆଲମିରା, ଆଦି ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ନିଆଁ ଯୋଗୁଁ କୋଠରୀର ଛାତ ଓ କାନ୍ଥରେ ଫାଟ ସୃଷ୍ଟି ହୋଇଯାଇଛି ।

ଅଗ୍ନିକାଣ୍ଡରେ ସ୍ୱାସ୍ଥ୍ୟ ବିଭାଗରେ ଥିବା ସମସ୍ତ କାଗଜପତ୍ର ସହିତ ଜନ୍ମମୃତ୍ୟୁ ପଞ୍ଜିକରଣର ରେକର୍ଡ଼ ଓ ପ୍ରମାଣପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version