Site icon Odisha.com

ରେଡ଼କ୍ରସ ପାଣ୍ଠି ବିନିଯୋଗରେ ଅନିୟମିତତା ଅଭିଯୋଗ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ, ମଇ ୧୧(ଓଡ଼ିଶା ଡ଼ଟ୍ କମ୍) ଗରିବ ଅସହାୟଙ୍କ ଚିକିତ୍ସା ତଥା ଆର୍ଥିକ ଦୁର୍ବଳତା ଥିବା ଲୋକଙ୍କୁ ସାହାଯ୍ୟ ଯୋଗାଇବା ନିମନ୍ତେ ଜିଲ୍ଲା ଗୁଡ଼ିକରେ ରେଡ଼କ୍ରସ ପାଣ୍ଠି ରହିଥିବା ବେଳେ ବରଗଡ଼ ଜିଲ୍ଲାରେ ଏହି ପାଣ୍ଠି ବିନିଯୋଗରେ ଅନିୟମିତତା ଅଭିଯୋଗ ହୋଇଛି ।

ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ରହିଥିବା ବେଳେ ପରିଚାଳନା ଦାୟିତ୍ୱରେ ରହିଛନ୍ତି ସରକାରୀ କର୍ମଚାରୀ । ରେଡ଼କ୍ରସ ପାଇଁ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀଙ୍କ ଦ୍ୱାରାପାଣ୍ଠି ସଂଗ୍ରହ କରାଯାଇଥାଏ ।

ବିଶେଷକରି ତହସିଲାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ, ଜିଲ୍ଲା ଶିଳ୍ପ ଅଧିକାରୀ, ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ, ଅବକାରୀ ବିଭାଗ ଅଧ୍ୟକ୍ଷ, ଯୋଗାଣ ଅଧିକାରୀ, ଉପନିବନ୍ଧକ, ଆଞ୍ଚଳିକ ବଜାର ନିୟନ୍ତ୍ରଣ ସମ୍ପାଦକ ଏବଂ ଜିଲ୍ଲାପାଳଙ୍କ ଦ୍ୱାରାକ୍ଷମତାପ୍ରାପ୍ତ ଅଧିକାରୀ ମାନେ ଏହି ପାଣ୍ଠି ସଂଗ୍ରହ କରିଥାନ୍ତି ।

ତେବେ ସୂଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ତଥ୍ୟ ଅନୁଯାୟୀ ବରଗଡ଼ ରେଡ଼କ୍ରସ୍ ପାଣ୍ଠି ପରିଚାଳନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ଜଣା ପଡ଼ିଛି ।

ଗତ ୨୦୧୧ ଜାନୁୟାରୀ ୧ରୁ ୨୦୧୨ ଫେବୃୟାରୀ ୧୫ ମଧ୍ୟରେ ରେଡକ୍ରସ ପାଣ୍ଠି ପାଇଁ ୧ କୋଟି ୨୬ ଲକ୍ଷ ୮୩ ହଜାର ୧୨୭ଟଙ୍କା ସଂଗୃହୀତ ହୋଇଛି ।

ଏଥିମଧ୍ୟରୁ ଅତାବିରା ତହସିଲଦାରଙ୍କ ଜରିଆରେ ୧୨ ହଜାର ୫ଶହ ଟଙ୍କା, ବରଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରା୫୮୨୦୦ ଟଙ୍କା, ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଜରିଆରେ ୨୬୫୦୦ ଟଙ୍କା, ଅବକାରୀ ବିଭାଗରୁ ୧୭ହଜାର ଟଙ୍କା, ଜିଲ୍ଲା ଯୋଗାଣ ବିଭାଗରୁ ୨୩ ହଜାର ଟଙ୍କା ।

ସାଧାରଣ ଓ ବିବିଧ ବିଭାଗ ଜରିଆରେ ୧୬୨୫୦ ଟଙ୍କା ଆଦାୟ ହୋଇଥିବା ବେଳେ ନ୍ୟାୟିକ ବିଭାଗ ଅଧିକାରୀଙ୍କ ଦ୍ୱାରା୪୮ହଜାର ୫ଶହ ଟଙ୍କା, ବ୍ୟକ୍ତିଗତ ସଭ୍ୟଙ୍କ ଠାରୁ ୨୦୫୦ଟଙ୍କା ସଂଗ୍ରହ ହୋଇଛି ।

ସେହିପରି ଓଜନ ଓ ମାପ ସଂଗ୍ରହ ପାଣ୍ଠିରୁ ୧ କୋଟି ୨୦ ଲକ୍ଷ ଟଙ୍କା, ପ୍ରୋତ୍ସାହନ ଟିକଟ ବିକ୍ରିରୁ ୧୩୨୦୦ ଟଙ୍କା ଏବଂ ବ୍ୟାଙ୍କରୁ ସୁଧ ଆକାରରେ ୪ଲକ୍ଷ ୨୫ହଜାର ୮୨୭ଟଙ୍କା ବରଗଡ଼ ଜିଲ୍ଲା ରେକ୍ରସ ପାଣ୍ଠି ପାଇଁ ସଂଗ୍ରହ ହୋଇଛି ।

ଏହି ସମୟ ମଧ୍ୟରେ ଉକ୍ତ ରେଡ଼କ୍ରସ ପାଣ୍ଠିରୁ ଗରିବ ରୋଗୀ ମାନଙ୍କ ଚିକିତ୍ସା ସହାୟତା ବାବଦକୁ ୬ଲକ୍ଷ ୩୭ହଜାର ୯୬୯ଟଙ୍କା ପ୍ରଦାନ କରାଯାଇଥିବା ବେଳେ କେବଳ କର୍ମଚାରୀଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବାବଦକୁ ୬ଲକ୍ଷ ୮ହଜାର ୬୯୬ଟଙ୍କା ଖର୍ଚ୍ଚ କରାଯାଇଛି ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରେଡକ୍ରସ ପାଣ୍ଠିରୁ ୩୨ହଜାର ୫୯୦ ଟଙ୍କା ଖର୍ଚ୍ଚ କରଥିବା ବେଳେ ରେଡ଼କ୍ରସ୍ କାର୍ଯ୍ୟାଳୟ ପାଇଁ ଆବଶ୍ୟକ ଖାତା, କଲମ. ପିନ୍ ତଥା ଚାହା ଜଳଖିଆ ଖର୍ଚ୍ଚ ବାବଦକୁ ୭୩୫୯୯ ଟଙ୍କା ଖର୍ଚ୍ଚ ହୋଇଛି ।

ରେଡକ୍ରସ୍ ପାଣ୍ଠିରୁ ୬ଜଣ ହୋମଗାର୍ଡ଼ଙ୍କୁ ୩ଲକ୍ଷ ୧୦ହଜାର ୫୬୧ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ଜନୌଷଧି ଷ୍ଟୋର ଫାର୍ମାସିଷ୍ଟଙ୍କୁ ୧ଲକ୍ଷ ୩୫ ହଜାର ଟଙ୍କା ଓ ରେଡ଼କ୍ରସ ମେଡିସିନ୍ ବ୍ୟାଙ୍କ ଫାର୍ମାସିଷ୍ଟଙ୍କୁ ୫୪ହଜାର ଟଙ୍କା ପ୍ରଦାନ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ସୀମାନ୍ତରେ ଥିବା ଲୁହୁରାଚଟି ତନଖି ଫାଟକ ଦେଇ ପ୍ରତ୍ୟହ ପ୍ରାୟ ୨୫୦୦ରୁ ୩୦୦୦ ମାଲବୋଝେଇ ଟ୍ରକ, ଟିପର, ଡମ୍ପର ଇତ୍ୟାଦି ଭାରିଯାନା ଯାତାୟାତ କରିଥାଏ ଏବଂ ସେମାନଙ୍କ ଠାରୁ ୧୦ଟଙ୍କା ହିସାବରେ ଦୈନିକ ପ୍ରାୟ ୨୫ ରୁ ୩୦ହଜାର ଟଙ୍କା ରେଡକ୍ରସ ପାଣ୍ଠି ପାଇଁ ଆଦାୟ ହୋଇଥାଏ ।

ତେବେ ବରଗଡ଼ ଜିଲ୍ଲା ରେଡକ୍ରସ୍ ପାଣ୍ଠି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଆଦାୟ ହେଉଥିବା ବେଳେ ଏହାର ସୁବିନିଯୋଗ ପାଇଁ ବିଭାଗୀୟ ଅଧିକାରୀ ତଥା ଜିଲ୍ଲାପାଳ ଦୃଷ୍ଟି ଦେବା ସହ ପ୍ରକୃତ ଗରିବ ତଥା ଦୁଃସ୍ଥ ଅସହାୟ ବ୍ୟକ୍ତିଙ୍କ ଆବଶ୍ୟକତା ପୂରଣ ନିମନ୍ତେ ରେଡକ୍ରସ ପାଣ୍ଠିର ବିନିଯୋଗ ପାଇଁ ଦାବି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version