Site icon Odisha.com

କ୍ୟାନ୍ସର ପୀଡ଼ିତ ବାଳକଙ୍କ ଚିକିତ୍ସା ପାଇଁ ସମୁହ ଶ୍ରମଦାନ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମଇ ୧୩(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ସରକଣ୍ଡା ଗ୍ରାମର କ୍ୟାନ୍ସର ପୀଡ଼ିତ ଜଣେ ତିନି ବର୍ଷର ବାଳକଙ୍କ ଚିକିତ୍ସା ପାଇଁ ଗ୍ରାମବାସୀମାନେ ସମୁହ ଶ୍ରମଦାନ କରିଛନ୍ତି ।

ଜିଲ୍ଲା ସଦର ମହକୁମା ଠାରୁ ୩୫ କିମି ଦୂର ଏହି ଗ୍ରାମର ନିହାର ଖମାରୀଙ୍କ ପୁଅ ସୁବଳଙ୍କ ଲିଭର କ୍ୟାନସର ହୋଇଥିବା ଓ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବା ଜାଣିବା ପରେ ତାଙ୍କ ପରିବାର ଲୋକେ ଭାଙ୍ଗିପଡ଼ିଥିଲେ ।

ଗରିବଦିନ ମଜୁରୀଆ ନିହାରଙ୍କ ପାଇଁ ପୁଅର ଚିକିତ୍ସା ନିମନ୍ତେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନଥିଲା । ତେଣୁ ଏବିଷୟରେ ସେ ଗ୍ରାମବାସୀଙ୍କୁ ଜଣାଇଥିଲ ।

ଏହି କୋମଳମତୀ ଶିଶୁର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ଜାଣି ଗ୍ରାମବାସୀ ଗୋଟିଏଦିନ ଶ୍ରମଦାନ କରି ସେଥିରୁ ଉପାର୍ଜିତ ସମସ୍ତ ଅର୍ଥ ସୁବଳର ଚିକିତ୍ସା ପାଇଁ ପ୍ରଦାନ କରିଥିବା ପୂର୍ବତନ ସରପଞ୍ଚ ରାଜୀବ ପ୍ରଧାନ କହିଛନ୍ତି ।

ଶନିବାର ମାହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସମସ୍ତ ସରକଣ୍ଡା ଗ୍ରାମବାସୀ ଶ୍ରମଦାନ କରି ତାଙ୍କ ପ୍ରାପ୍ୟକୁ ସେମାନେ ଦାନ କରିଥିବା ସେ କହିଛନ୍ତି ।

ଲିଭର କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା ସୁବିଧା ରାଜ୍ୟରେ ନଥିବାରୁ ସୁବଳକୁ ରାଜ୍ୟ ବାହାରକୁ ନେବା ପାଇଁ ଗ୍ରାମବାସୀମାନେ ପଦକ୍ଷେପ ଗ୍ରହଣ କରିଥିବା ଜଣେ ଗ୍ରାମବାସୀ ସରୋଜ ବାରିକ କହିଛନ୍ତି ।

ପୂର୍ବରୁ ଏହି ବାଳକର ଚିକିତ୍ସା ପାଇଁ “ଅର୍ପଣ” ନାମକ ଯୁବସଂସ୍ଥା ପକ୍ଷରୁ କିଛି ଅର୍ଥ ଯୋଗାଡ଼ କରି କଟକ ପଠାଯାଇଥିଲା ଏବଂ ଆହୁରି ଅର୍ଥ ଆବଶ୍ୟକ ହେବାରୁ ଉକ୍ତଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ କିଛି ଆର୍ଥିକ ସାହାଯ୍ୟ କରିଥିବା ସୁବଳର ବାପା ନିହାର କହିଛନ୍ତି ।

ନିହାରଙ୍କ ପରିବାରରେ ପୁଅ ସୁବଳ ବ୍ୟତୀତ ତାଙ୍କ ପତ୍ନୀ ଓ ଦୁଇ ବର୍ଷର ଝିଅ ଅଛନ୍ତି । ପୁଅର ଚିକିତ୍ସା ପାଇଁ ନିହାର ସମସ୍ତଙ୍କ ପାଖରେ ସାହାଯ୍ୟ ଭିକ୍ଷା କରୁଛନ୍ତି । ଏହି ସମୟରେ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version