Site icon Odisha.com

ଲୋକପାଳ ବିଲ୍ ନେଇ ୨୨ପରେ ଆନ୍ଦୋଳନ: କେଜରିୱାଲ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୩(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୨୨ ତାରିଖ ଭିତରେ ଦୃଢ଼ ଲୋକପାଳ ଗଠନ ।ଦାବି ପୂରଣ ନହେଲେ ଦେଶବ୍ୟାପୀ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଭୁବନେଶ୍ୱର ଠାରେ ଆନ୍ନା ଟିମ୍ ପ୍ରମୁଖ ସଦସ୍ୟ ଅରବିନ୍ଦ କେଜରିୱାଲ୍ କହିଛନ୍ତି ।

ଦେଶରୁ ଦୁର୍ନୀତି ମୂଳପୋଛ ପାଇଁ ଗତ ଏକ ବର୍ଷରୁ ଉର୍ଦ୍ଧ୍ଵ ହେବ ଆନ୍ନା ହଜାରେଙ୍କ ନେତୃତ୍ୱରେ ଦୁର୍ନୀତି ବିରୋଧୀ ଅଭିଯାନ ଚାଲିଛି ଓ ଏହାକୁ ଲକ୍ଷାଧିକ ଲୋକ ସମର୍ଥନ ଜଣାଇଛନ୍ତି ବୋଲି ଶନିବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ଇଣ୍ଡିଆ ଏଗେନ୍ଷ୍ଟ କରପ୍ସନ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ।

ଦୁର୍ନୀତିଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବହୁଦିନରୁ ଦୃଢ଼ ଲୋକପାଳ ବିଲ୍ ଦାବି ହୋଇ ଆସୁଛି । ଦେଶର ୯୦ ପ୍ରତିଶତ ଲୋକ ଏହି ବିଲ୍ କୁ ସମର୍ଥନ କରୁଥିଲେ ମଧ୍ୟ ସଂସଦରେ ଏହା ଅଟକି ରହିଛି ।

ସଂସଦରେ ବସୁଥିବା ଲୋକ ପ୍ରତିନିଧିମାନେ ଏବେ ବି ବଡ଼ ବଡ଼ ଦୁର୍ନୀତିରେ ଜଡ଼ିତ ହୋଇ ରହିଛନ୍ତି ।ତେଣୁ ଲୋକପାଳ ବିଲ୍ ଆସିବା ପରେ ସେମାନଙ୍କର ଅସଲ ଚେହେରା ଜଣାପଡ଼ିଯିବ ବୋଲି ସେମାନଙ୍କର ଭୟ ରହିଛି, ସେ କହିଛନ୍ତି ।

ଏବେ ବି କେନ୍ଦ୍ର ମନ୍ତ୍ରିମଣ୍ଡଳର ୧୬ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ରହିଛି । ଲୋକପାଳ ବିଲ୍
ପାସ୍ ହେଲେ ସେମାନଙ୍କ ମଧ୍ୟରୁ ୧୨ ଜଣ ଜେଲ୍ ଯିବା ନିଶ୍ଚିତ ବୋଲି ସେ କହିଛନ୍ତି ।

ଓଡ଼ିଶା ମଧ୍ୟ ଦୁର୍ନୀତିରୁ ବାଦ ପଡ଼ିନାହିଁ । ଦୁର୍ନୀତିକୁ ମୂଳପୋଛ କରିବାକୁ ହେଲେ ଗାଁ ଗାଁରେ ଏହି ଅଭିଯାନକୁ ଜୋରଦାର କରିବାକୁ ହେବ । ପ୍ରତି ଗାଁରୁ ୧୦ ଜଣ ଲେଖାଏଁ ଏହି ଅଭିଯାନରେ ସାମିଲ୍ ହେବା ରକାର ।

ରାଜ୍ୟରେ ଗରିବଙ୍କ ଜମି ଜୋର୍ ଜବରସ୍ତ କର୍ପୋରେଟ୍ ହାଉସ୍କୁ ଟେକି ଦିଆଯାଉଛି । ତେଣୁ ଜମି ଅଧିଗ୍ରହଣକୁ ନେଇ ବହୁ ବିବାଦ ମୁଣ୍ଡ ଟେକିଛି । ଲିଖିତ ସହମତି ପରେ ଗରିବଙ୍କ ଜମି ଅଧିଗ୍ରହଣ ହେବା ଦରକାର ବୋଲି ସେ କହିଥିଲେ ।

ଓଡ଼ିଶାରେ ଏହି ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଜନସମର୍ଥନ ଦରକାର । ଏଥିପାଇଁ ଏଠାରେ ଜିଲ୍ଲା ଓ ବ୍ଲକସ୍ତରୀୟ କମିଟି ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେଜରିୱାଲ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version