Site icon Odisha.com

ଭଦ୍ରକ: ବଢ଼ିଚାଲିଛି ନକଲି ଡ଼ାକ୍ତରଙ୍କ କୁପ୍ରଭାବ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୧୩(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳରେ ଏବେ କ୍ରମଶଃ ନକଲି ଔଷଧ କାରବାର ଓ ନକଲି ଡ଼ାକ୍ତରଙ୍କ କୁପ୍ରଭାବ ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହା ଦେଖି ନଦେଖିବାଭଳି ରହୁଥିବା ଅଭିଯୋଗ ହୋଇଛି ।

ଜିଲ୍ଲାର ଅନ୍ନପାଳ, ଧୁଷୁରୀ, ଅସୁରାଳି, ବେତାଳି ଗାଁ, ଆରଡ଼ି, ଦୋଳସାହି, ନନ୍ଦପୁର, ତିହିଡ଼ି, ପିରାହାଟ, ମତୋ, ସାବରଙ୍ଗ ଆଦି ବହୁସ୍ଥାନରେ ଡ଼ାକ୍ତରଙ୍କ ଅନୁପସ୍ଥିତିର ସୁଯୋଗ ନେଇ କେତେକ କ୍ୱାକ କୋଲକାତାରୁ ରେଜିଷ୍ଟ୍ରେଡ଼ ମେଡ଼ିକାଲ ପ୍ରାକଟିସନର ପ୍ରମାଣପତ୍ର ଆଣି ଗ୍ରମାଞ୍ଚଳରେ ଚିକିତ୍ସାଳୟ ଖୋଲି ରୋଗୀ ମାନଙ୍କୁ ଶୋଷଣ କରିଚାଲିଛନ୍ତି ।

ଗ୍ରାମାଞ୍ଚଳ ଛତୁ ଫୁଟିବା ଭଳି ନକଲି ଡ଼ାକ୍ତରଙ୍କ ଆର୍ବିଭାବ ହେଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ସେହି ନକଲି ଡ଼ାକ୍ତରମାନେ ରୋଗୀଙ୍କୁ ଉପଯୁକ୍ତ ସେବା ଯୋଗାଇ ପାରୁ ନଥବାରୁ ଅଧିକାଂଶ ରୋଗୀ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଶେଷ ମୁହୂର୍ତରେ ବିଶେଷଜ୍ଞ ଡ଼ାକ୍ତରଙ୍କ ପରାମର୍ଶ ନେଉଛନ୍ତି ।

ଏହାସହ ବହୁ ନକଲି ହୋମିଓପାଥିକ ଓ ଆର୍ୟୁୁବେିଦିକ ଚିକିତ୍ସାଳୟ ଖୋଲି ନିଜର ଚିକିତ୍ସାଳୟ ଚଳାଇଛନ୍ତି । କେତେକ ଯୁବକ କୌଣସି ନର୍ସିଂହୋମରେ କାମ କରିବା ପରେ ଡ଼ାକ୍ତର ପାଲଟି ଯାଉଥିବା ବେଳେ ଅନ୍ୟ କେତେକ ଔଷଧ ଦୋକାନରେ କିଛିିନକାମ କରି ଡ଼ାକ୍ତର ପାଲଟି ଯାଉଛନ୍ତି ।

ଏହି ତଥାକଥିତ ନକଲି ଡ଼ାକ୍ତର ମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି କେତେକ ଅସାଧୁ ଔଷଧ ଦୋକାନୀ । ବହୁ ନିମ୍ନମାନର କମ୍ପାନୀ ଔଷଧ ବିକ୍ରୀ କରି ସେମାନେ ମଧ୍ୟ ବେଶ ଦୁଇ ପଇସା ମୁନାଫା କମାଉଛନ୍ତି ।

କେବଳ ଯେ ଏହି ନକଲି ଡ଼ାକ୍ତରମାନେ ସାଧାରଣ ଚିକିତ୍ସା କରୁଛନ୍ତି ତାହାନୁହେଁ ବରଂ ଗର୍ଭପାତ ଭଳି ବିପଦଜନକ କାର୍ଯ୍ୟ ମଧ୍ୟ ସେମାନେ କରିବାକୁ ପଛାଉ ନାହାନ୍ତି ।

ସ୍ୱାସ୍ଥ୍ୟ ବିଭାଗର କେତେକ ବିଭାଗୀୟ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ନିର୍ଭୟରେ ଏମାନେ ଏପରି ବିପଦଜନକ ବ୍ୟବସାୟ ଚଳାଇ ଆସୁଥିବା ଅଭିଯୋଗ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version