Site icon Odisha.com

ଇସ୍ତଫା ନେଇ କୌଣସି ନିଷ୍ପତି ହୋଇନାହିଁ: ହିକକା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୫(ଓଡ଼ିଶା ଡ଼ଟ୍ କମ୍) ବିଧାୟକ ପଦରୁ ଇସ୍ତଫା ଦେବା ନେଇ କୌଣସି ନିଷ୍ପତି ହୋଇ ନାହିଁ, ମୁଖ୍ୟମନ୍ତ୍ରୀ ଯାହାକିଛି ନିଷ୍ପତି ନେବେ ବୋଲି ଲକ୍ଷ୍ମୀପୁର ବିଧାୟକ ଝିନ ହିକକା କହିଛନ୍ତି ।

ହିକକା ସୋମବାର ସଂଧ୍ୟାରେ ସପରିବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ କହିଛନ୍ତି । ତେବେ ସେ ଇସ୍ତଫା ଦେବା ସଂପର୍କରେ କୌଣସି ଆଲୋଚନା ହୋଇ ନାହିଁ ବୋଲି ସେ କହିଛନ୍ତି ।

ତେବେ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ ମା’ଙ୍କ କଥା ଓ ପିଲାମାନଙ୍କ ପାଠପଢା ବିଷୟରେ ପଚାରିଥିଲେ । ଭୁବନେଶ୍ୱରରେ ପିଲାମାନଙ୍କୁ ପାଠ ପଢାଇବାକୁ କହିଥିଲେ ।

ମୁଖ୍ୟମନ୍ତ୍ରୀ ୨୧ରେ ବିଦେଶ ଗସ୍ତରେ ଯାଉଥିବାରୁ ସେ ଫେରିବା ପରେ ଏସଂପର୍କରେ ଯାହା ନିଷ୍ପତି ନେବେ ତାକୁ ମାନିନେବେ ବୋଲି ହିକକା କହିଛନ୍ତି । ମୁଁ ନିଜେ କୌଣସି ନିଷ୍ପତି ନେବି ନାହିଁ, ମୁଖ୍ୟମନ୍ତ୍ରୀ ଦଳର ମୁଖ୍ୟ ହୋଇଥିବାରୁ ତାଙ୍କ ଉପରେ ସବୁ ଛାଡ଼ି ଦେଇଛି, ସେ କହିଛନ୍ତି ।

ଗତ ମାର୍ଚ୍ଚ ୨୩ରେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ହିକକାଙ୍କୁ ଅପହରଣ କରିଅପ୍ରେଲ ୨୬ରେ ମୁକ୍ତ କରିଥିଲେ । ମୁକ୍ତ ହେବାପରେ ସେ ବିଜେଡ଼ି ତଥା ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ ।

ତେବେ ମୁକ୍ତ ହେବାର ଦୀର୍ଘଦିନ ପରେ ମଧ୍ୟ ସେ ଇସ୍ତଫା ଦେଇନଥିବାରୁ ମାଓବାଦୀମାନେ ରବିବାର  ତେଲୁଗୁ ଭାଷାରେ ଏକ ଚିଠି ପଠାଇଥିଲେ । ପ୍ରତିଶ୍ରୁତି ରକ୍ଷା କରି ବିଧାୟକ ଇସ୍ତଫା ଦେଇଦେବା ଉଚିତ ବୋଲି ସେମାନେ ଏଥିରେ ଉଲ୍ଲେଖ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version