Site icon Odisha.com

ଓଡ଼ିଶାରେ ମାଓହିଂସା କମିଛି,କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଜବାବ୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୪(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ଗୃହ ମନ୍ତ୍ରାଳୟ ଓଡ଼ିଶାରେ ମାଓ ହିଂସା ସଂପର୍କରେ ଦେଇଥିବା ମନ୍ତବ୍ୟକୁ ରାଜ୍ୟ ସରକାର ଖଣ୍ଡନ କରିବା ସହ ମାଓବାଦୀ ହିଂସାକାଣ୍ଡ କମିଥିବା ଦର୍ଶାଇ ସୋମବାର କେନ୍ଦ୍ରକୁ ଜବାବ୍ ଦେଇଛନ୍ତି ।

ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ କେନ୍ଦ୍ର ଗୃହ ସଚିବଙ୍କୁ ଏ ସଂପର୍କରେ ପତ୍ର ଲେଖି ମାଓ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରିଛନ୍ତି ।

ମାଲକାନଗିରି ଜିଲ୍ଲାରେ ପରିସ୍ଥିତିରେ ଉନ୍ନତି ଦେଖା ଦେଇଥିବା ବେଳେ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି ବୋଲି ସେ ଦର୍ଶାଇଛନ୍ତି ।

ସେହିପରି କେନ୍ଦୁଝର, ଯାଜପୁର, ଢେଙ୍କାନାଳ ଓ ମୟୁରଭଞ୍ଜ ଜିଲ୍ଲାକୁ ନେଇ ଗଠିତ କଳିଙ୍ଗନଗର
ଡ଼ିଭିଜନର ମଧ୍ୟ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି । ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ମଧ୍ୟ ମାଓ ହିଂସାକାଣ୍ଡ ଉଲ୍ଲେଖନୀୟ ହ୍ରାସ ପାଇଛି ।

ଝାଡ଼ଖଣ୍ଡ-ଓଡ଼ିଶା ସୀମାରେ ମାଓ କାର୍ଯ୍ୟକଳାପ ହ୍ରାସ ହୋଇଥିବା ବେଳେ କୋରାପୁଟ,
ନାରାୟଣପାଟଣା, କନ୍ଧମାଳର କେତେକ ଅଞ୍ଚଳ, ନୂଆପଡ଼ା, ବଲାଙ୍ଗୀର ଓ ବରଗଡ଼ ଆଦି ଛତିଶଗଡ଼ ସୀମା ନିକଟବର୍ତୀ ଅଞ୍ଚଳରେ ମାଓ କାର୍ଯ୍ୟକଳାପ ଚିନ୍ତାର କାରଣ ହୋଇଥିବା ବେଳେ ଏହି ଅଞ୍ଚଳରେ ମାଓବିରୋଧୀ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯାଉଛି ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।

ଗତ ଅପ୍ରେଲ ୧୬ ତାରିଖରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ମାଓ ହିଂସା ଓ ହତ୍ୟା ୨୦୧୦ ଅପେକ୍ଷା ୨୦୧୧ରେ ହ୍ରାସ ପାଇଛି ।

୨୦୧୧ ରୁ ୨୦୧୨ ମଇ’ ମଧ୍ୟରେ ୧୯୪ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୬୦ ଜଣ ଆତ୍ମସମର୍ପଣ କରିଛନ୍ତି ଏବଂ ୧୫୭ଟି ଅସ୍ତ୍ରଶସ୍ତ୍ର ଏବଂ ୨୮୦ ଆଇଇଡି ବିପୁଳ ପରିମାଣ ଗୋଳାବାରୁଦ ଜବତ କରାଯାଇଛି ।

୨୦୧୧ରେ ପୁଲିସ ସହିତ ଗୁଳି ବିନିମୟରେ ୨୩ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ୨୦୧୨ ମଇ’ ସୁଦ୍ଧା ୪ ଜଣ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version