Site icon Odisha.com

ଦିଲ୍ଲୀରେ କିସ୍ ଭଳି ଆବାସିକ ସ୍କୁଲ କରିବାକୁ ନିଷ୍ପତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୬(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ କିସ୍ କୁ ମଡ଼େଲ୍ ହିସାବରେ ଗ୍ରହଣ କରି ଦିଲ୍ଲୀରେ ଏହାର ଢାଞ୍ଚାରେ ଏକ ଆବାସିକ ସ୍କୁଲ ସ୍ଥାପନ କରିବାକୁ ଦିଲ୍ଲୀ ସରକାର ନିଷ୍ପତି ନେଇଛନ୍ତି ।

ଗତ ୧୪ ତାରିଖ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ଦ୍ୱାରାଆୟୋଜିତ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ନେଇ ଏକ ବୈଠକରେ ଏହି ନିଷ୍ପତି ନିଆଯାଇଛି । ପ୍ରସ୍ତାବିତ ସ୍କୁଲ୍ ରେ ତଫସିଲଭୁକ୍ତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟର ଗରିବ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ।

ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ନଜବଗଡ଼ଠାରେ ଏହି ସ୍କୁଲ ସ୍ଥାପନ ହେବ । ଦିଲ୍ଲୀ ସରକାରଙ୍କ ତଫସିଲଭୁକ୍ତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ତତ୍ୱାବଧାନରେ ହେବାକୁ ଥିବା ଏହି ସ୍କୁଲରେ  ସମସ୍ତ ପରିଚାଳନା ଦାୟିତ୍ୱ କିସ୍ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତି ହୋଇଛି ।

ଏଥିପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନଜବଗଡ଼ଠାରେ ଦିର୍ଘ ଏକ ବର୍ଷ ହେଲା ୨୦ ଏକର ପରିମିତ ଜମିରେ ଭିତ୍ତିଭୂମି ନିର୍ମାଣ ଶେଷ ହୋଇଛି ।

ନିକଟରେ ଦିଲ୍ଲୀ ସରକାରଙ୍କ ଏକ ପ୍ରତିନିଧି ଦଳ କିସ୍ ପରିଦର୍ଶନ କରିବା ସହ କିସ୍ ୧୬,୫୦୦ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଶ୍ରେଣୀଠାରୁ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିପାରୁଥିବା ହୃଦବୋଧ କରିଥିଲେ ।

ଏହି ପ୍ରତିନିଧି ଦଳର ରିପୋର୍ଟକୁ ଆଧାର କରି ଦିଲ୍ଲୀ ସରକାର ସେଠାରେ କିସ୍ ଭଳି ଏକ ମଡେଲ୍ ସ୍କୁଲ ସ୍ଥାପନ କରିବାକୁ ଘୋଷଣା କରିଛନ୍ତି । କିସ୍ ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇ ପାରୁଥିବାରୁ ଶିକ୍ଷାାନ ପାଇଁ କିସ୍ ର ଶିକ୍ଷକ ମାନଙ୍କୁ ଏଠାକୁ ଅଣାଯିବ ବୋଲି ବୈଠକରେ କୁହାଯାଇଛି ।

ଛତିଶଗଡ଼ରେ କିସ୍ ଢାଞ୍ଚାରେ ଏକ ସ୍କୁଲ ଚାଲୁ ରହିଛି । ସେହିପରି ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ସରକାର ମଧ୍ୟ ଏଭଳି ସ୍କୁଲ ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି ବୋଲି କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ।

ଦିଲ୍ଲୀ ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିବା ସହ ଉକ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଉଚିତ୍ ଶିକ୍ଷାଦାନ କରିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version