ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୧୭(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ କମ୍ପାନୀ ପାରାଦ୍ଵୀପ ନିକଟରେ ଆଠ ମିଲିଅନ୍ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବ ବୋଲି ଏହାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭୁବନେଶ୍ୱରରେ କହିଛନ୍ତି ।
ଆବଶ୍ୟକ ଥିବା ସମୁଦାୟ ୪୦୦୪ ଏକର ଜମି ମିଳିବା ପରେ ପୁଣି ପ୍ରକଳ୍ପକୁ ସଂପ୍ରସାରିତ କରାଯିବ ବୋଲି ସେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ କହିଛନ୍ତି ।
ପୂର୍ବରୁ ଥିବା ୧୨ ମିଲିଅନ୍ ଟନ୍ କ୍ଷମତା ବିଶିଷ୍ଟ ପ୍ଳାଣ୍ଟ ସ୍ଥାପନ ଯୋଜନା ବର୍ତ୍ତମାନ ମଧ୍ୟ ରହିଛି କିନ୍ତୁ ତାହାକୁ ତିନୋଟି ଭାଗରେ ବିଭକ୍ତ କରାଯାଇ ପ୍ରତ୍ୟେକ ଚାରି ମିଲିଅନ୍ ଟନ୍ ବିଶିଷ୍ଟ କରାଯାଇଛି, ସେ କହିଛନ୍ତି ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ହଜାର ଏକର ଜମି ଅଧିଗ୍ରହଣ କରାଯାଇଛି ଏବଂ ସେଥିରୁ ୫୦୦ ଏକର ଜମି କମ୍ପାନୀକୁ ହସ୍ତାନ୍ତର କରାଯାଇଛି । ଆଉ ୧୫୦୦ ଏକର ଜମି ହସ୍ତାନ୍ତର କରିବାକୁ ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
୨୭୦୦ ଏକର ଜମିରେ ଆଠ ମିଲିଅନ୍ ଟନ୍ ବିଶିଷ୍ଟ ପ୍ରକଳ୍ପ ସ୍ଥାପନ ପାଇଁ କମ୍ପାନୀ ଇଚ୍ଛା ପ୍ରକାଶ କରିଛି ବୋଲି ୟୋନ୍ କହିଛନ୍ତି । ଦୁଇ ହଜାର ଏକର ଜମି ଅଧିଗ୍ରହଣ କରାଯାଇଥିବା ବେଳେ ଆଉ ସାତ ଶହ ଏକର ଜମି ଶୀଘ୍ର ଅଧିଗ୍ରହଣ କରାଯିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
୧୨ ମିଲିଅନ୍ ଟନ୍ ବିଶିଷ୍ଟ ଇସ୍ପାତ ପ୍ରକଳ୍ପ ସ୍ଥାପନ ପାଇଁ ଗତ ୨୦୦୫ ଜୁନ୍ ୨୨ରେ ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲା ।
ତେବେ ଗତ ୨୦୧୦ ଜୁନ୍ ୨୨ରେ ବୁଝାମଣା ପତ୍ରର ଅବଧି ଶେଷ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କୁ ବିରୋଧ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ହୋଇପାରି ନାହିଁ ।
ଓଡ଼ିଶା ଡ଼ଟ୍ କମ୍