Site icon Odisha.com

ଅଂଶୁଘାତରେ ୪୪ ଜଣଙ୍କ ମୃତ୍ୟୁ ଅଭିଯୋଗ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୯(ଓଡ଼ିଶା ଡ଼ଟ୍ କମ୍) ସମଗ୍ର ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ଅଂଶୁଘାତରେ ୪୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ।

ତେବେ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ୨୩ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯାଇ କେବଳ ଦୁଇଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା କୁହାଯାଇଛି । ବଲାଙ୍ଗୀର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।

ଗତ ଦୁଇଦିନ ଧରି ପଶ୍ଚିମ ଓଡ଼ିଶାରେ ତାପମାତ୍ର କ୍ରମାଗତ ଭାବେ ବୃଦ୍ଧି ପାଇ ଶୁକ୍ରବାର ଏହି ଅଞ୍ଚଳର କେତେକ ସ୍ଥାନର ତାପମାତ୍ରା ୪୬ ଡ଼ିଗ୍ରୀ ସେଲସିଅସ୍ ରେକର୍ଡ଼ କରାଯାଇଛି ।

ଅଧିକାଂଶ ସ୍ଥାନର ତାପମାତ୍ରା ୪୫ ଡ଼ିଗ୍ରୀ ଉପରେ ରହିଥିବା ବେଳେ ଟିଟିଲାଗଡ଼ର ତାପମାତ୍ରା ଚଳିତ ବର୍ଷ ଏପର୍ଯ୍ୟନ୍ତ ରେକର୍ଡ଼ ଭଙ୍ଗ କରିଛି ।

ଶୁକ୍ରବାର ଟିଟିଲାଗଡ଼ର ତାପମାତ୍ରା ୪୬.୫ ଡ଼ିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ସମ୍ବଲପୁର ୪୬, ହୀରାକୁଦ ୪୫.୮, ସୋନପୁର ୪୫.୪, ଝାରସୁଗୁଡ଼ା ୪୪.୪, ଭବାନୀପାଟଣା ୪୪.୫, ସୁନ୍ଦରଗଡ଼ ୪୪ ଡ଼ିଗ୍ରୀ ଏବଂ ବଲାଙ୍ଗୀରର ସର୍ବୋଚ୍ଚ ତାପମାତ୍ରା ୪୪.୪ ଡ଼ିଗ୍ରୀ ସେଲ୍ସିଅସ୍ ରେକର୍ଡ଼ କରାଯାଇଛି ।

ସେହିପରି ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version