Site icon Odisha.com

ଜଗତସିଂହପୁର: ଡ଼ାକ୍ତର ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମଇ ୧୮(ଓଡ଼ିଶା ଡ଼ଟ୍ କମ୍) ଆବଶ୍ୟକ ଡ଼ାକ୍ତାର ଓ ସରଞ୍ଜାମ ନଥିବାରୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ।

ଏହି ଅଞ୍ଚଳରେ ଜଣ୍ଡିସ ଓ ଅନ୍ୟାନ୍ୟ ରୋଗ ଦେଖା ଦେଇଥିବା ବେଳେ ସ୍ଥାନୀୟ ଲୋକମାନେ ଏନେଇ ଭୟଭୀତ ହୋଇପଡ଼ିଛନ୍ତି ।

ଜିଲ୍ଲାର ଆଠଟି ବ୍ଲକର ଲକ୍ଷାଧିକ ଲୋକ ଏହି ଡ଼ାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ
ରାଜନୈତିକ ଇଚ୍ଛାଶକ୍ତିର ଅଭାବ ତଥା ପ୍ରଶାସନିକ ଅବହେଳା ଯୋଗୁଁ ସେମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଲୋକମାନେ କହିଛନ୍ତି ।

ପ୍ରତିଦିନ ଗର୍ଭବତୀ ମହିଳାଙ୍କ ସମେତ ହଜାର ହଜାର ରୋଗୀ ଡ଼ାକ୍ତରଖାନାକୁ ଆସୁଥିବା ବେଳେ ଚିକିତ୍ସାଳୟରେ ବିଶେଷଜ୍ଞ ନଥିବାରୁ ରୋଗୀ ମାନଙ୍କୁ ଘରୋଇ କ୍ଲିନିକ୍, କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଦିଆଯାଉଛି।

ସେହିପରି ଆବଶ୍ୟକ ସରଞ୍ଜାମ ଅଭାବରୁ ମଧ୍ୟ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି । ଗତ ପାଞ୍ଚ ବର୍ଷ ତଳେ ଲଗାଯାଇଥିବା ଅଲଟ୍ରାସାଉଣ୍ଡ ମେସିନ୍ ମଧ୍ୟ ଖରାପ ହୋଇ ପଡ଼ିଛି । ଅଲଟ୍ରାସାଉଣ୍ଡ କରିବାକୁ ଲୋକ ମାନଙ୍କୁ କଟକ ଓ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ୁଛି ।

ଏହାସହ ଚିକିତ୍ସାଳୟକୁ ଡ଼ାକ୍ତରମାନେ ନିୟମିତ ନଆସୁଥିବାରୁ ଏହା ରୋଗୀମାନଙ୍କୁ ବହୁତ ଅସୁବିଧାରେ ପକାଇଛି ।

ଜିଲ୍ଲାରେ ୨୭ଟି ଡ଼ାକ୍ତର ଏବଂ ୨୭ଟି ଏଏନ୍ଏମ୍ ପଦବୀ ଖାଲି ପଡ଼ିଥିବା ବେଳେ ଏଗୁଡ଼ିକ ପୂରଣ ପାଇଁ ଉଚ୍ଚ କର୍ତୃପକ୍ଷଙ୍କୁ କୁହାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ ସାହୁ କହିଛନ୍ତି ।

ସ୍ଥାନୀୟ ଲୋକଙ୍କୁ ଠିକ୍ ଭାବେ ସ୍ଥାସ୍ଥ୍ୟସେବା ଯୋଗାଇବା ଦାବିରେ ଶୁକ୍ରବାର ଯୁବକ କଂଗ୍ରେସ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version