Site icon Odisha.com

ସହରରେ ପାନୀୟ ଜଳ ସମସ୍ୟା, ନୀରବରେ ପୌରପରିଷଦ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମଇ ୧୮(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ସହରର ତାପମାତ୍ରା ବୃଦ୍ଧି ସହ ପାନୀୟ ଜଳର ସମସ୍ୟା ଖୋେଇଥିବା ବେଳେ ଏନେଇ ପୌରପରିଷଦ ନୀରବ ରହିଥିବା ଅଭିଯୋଗ ହୋଇଛି ।

୧୯ଟି ୱାର୍ଡ଼କୁ ନେଇ ଗଠିତ ବରଗଡ଼ ପୌର ପରିଷଦ ସହରବାସୀଙ୍କୁ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଥିବା ବେଳେ ୧୯ଟି ମଧ୍ୟରୁ ୭ଟି ୱାର୍ଡ଼କୁ ଏବେବି ପାଇପ୍ ପାଣି ପହଞ୍ଚିପାରି ନାହିଁ ।

ଯେଉଁ ୱାର୍ଡ଼ ମାନଙ୍କରେ ପାଇପ୍ ଜଳ ଯୋଗାଣ ହେଉଛି ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ସେଠାରେ ମଧ୍ୟ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି ।

ପୌରପରିଷଦ ପକ୍ଷରୁଦୁଇଟି ଟ୍ୟାଙ୍କର ରେ ପାନୀୟ ଜଳ ବିତରଣ କରାଯାଉଥିଲେ ମଧ୍ୟ ଅଧିକାଂଶ ୱାର୍ଡ଼ ତଥା ପଡ଼ାର ରାସ୍ତା ଅଣଓସାରିଆ ଥିବାରୁ ଟ୍ୟାଙ୍କର ସେଠାକୁ ଯାଇପାରୁନାହିଁ । ଫଳରେ ସେଠାକାର ବାସିନ୍ଦା ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି ।

ଭୂତଳ ଜଳ ସ୍ତରକୁ ନିୟନ୍ତ୍ରଣ କରୁଥିବା ବନ୍ଧ, କଟା, ପୋଖରୀ ଆଦି କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଜବରଖଲ ଯୋଗୁଁଦିନକୁଦିନ ପୋତିହେବାରେ ଲାଗିଛି । ସମ୍ପ୍ରତି ସହରର ଭୂତଳ ଜଳସ୍ତର ୪୫ ରୁ ୫୦ଫୁଟ୍ ପର୍ଯ୍ୟନ୍ତ ନିମ୍ନଗାମୀ ହୋଇଥିବାରୁ କୁଅସବୁ ଶୁଖି ଗଲାଣି ।

ବିଭିନ୍ନ ଜନସମାଗମ ଅଞ୍ଚଳରେ ଖରାଦିନେ ଜଳଛତ୍ର ଖୋଲିବାର ନିୟମ ଥିଲେ ମଧ୍ୟ ଜିଲ୍ଲାପାଳ କାର୍ଯ୍ୟାଳୟରୁ ପୌରପରିଷଦକୁ ନିର୍ଦ୍ଦେଶ ଦିଆଯାଇବା ସତ୍ୱେ କର୍ତ୍ତୃପକ୍ଷ ଏଯାଏଁ ଗୋଟିଏ ହେଲେ ଜଳଛତ୍ର ଖୋଲି ନାହାନ୍ତି ।

ବର୍ତମାନ ସହରର ତାପପାତ୍ରା ୪୫ ଡିଗ୍ରୀକୁ ଛୁଇଁସାରିଥିବା ବେଳେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରି ପାରୁନାହାନ୍ତି ।

ଗଥ କିଛି ବର୍ଷ ହେଲା ଲୋକେ ବଡ଼ ବଡ଼ କୋଠା, କଲୋନୀର ଆଭିଯାତ୍ୟରେ ପଡ଼ି ବେଆଇନ ଭାବେ ଗଭୀର ନଳକୂପ ସବୁ ଖୋଲି ଚାଲିଛନ୍ତି । ଏହି ଗଭୀର ନଳକୂପ ଖୋଳିବାବେଳେ କୌଣସି ସରକାରୀ ନିୟମ ପାଳନ କରାଯାଉନଥିବାରୁ ଏହାର କୁପରିଣାମ ସିଧାସଳଖ ଭୋଗ କରୁଛନ୍ତି କୂଅ ପୋଖରୀ ଉପରେ ନିର୍ଭର କରି ଚଳୁଥିବା ଗରୀବ ଶ୍ରେଣୀର ଲୋକମାନେ ।

ସମ୍ପୂର୍ଣ୍ଣ ସହରବାସୀ ପାନୀୟ ଜଳ ସଙ୍କଟର ସମ୍ମୁଖିନ ହେଉଥିବା ବେଳେ ପୌରପରିଷଦର ଏଥିପ୍ରତି ଦୃଷ୍ଟି ନପଡ଼ିବା ଦୂର୍ଭାଗ୍ୟଜନକ ବୋଲି ସହରର ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version