Site icon Odisha.com

ଏମ୍ଏମ୍ଡିଆର ବିଲ୍ କ୍ଷମତା ସଙ୍କୁଚିତ କରିବ: ନବୀନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୯(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ଖଣି ଓ ଖଣିଜପଦାର୍ଥ ଉନ୍ନୟନ ଓ ନିୟନ୍ତ୍ରଣ ବିଲ୍-୨୦୧୧ ଆଇନରେ ପରିଣତ ହେଲେ ଏହା ରାଜ୍ୟ ମାନଙ୍କର କ୍ଷମତାକୁ ସଂକୁଚିତ କରିବ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପତ୍ର ଲେଖି ଜଣାଇଛନ୍ତି ।

ଖଣି ଓ ଖଣିଜ ଉନ୍ନୟନ କ୍ଷେତ୍ରରେ ନିୟନ୍ତ୍ରଣ ଅଧିକାର ସାଧାରଣତଃ ରାଜ୍ୟ ସରକାରଙ୍କ ଅଧିନସ୍ଥ ବିଷୟ । କିନ୍ତୁ ପ୍ରସ୍ତାବିତ ବିଲ୍ ରେ ଏଭଳି କେତେକ ବ୍ୟବସ୍ଥା ରହିଛି ଯାହାଦ୍ୱାରାରାଜ୍ୟ ସରକାରଙ୍କ କେତେକ କ୍ଷମତା ଓ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଭୁକ୍ତ କରିବା ପାଇଁ ପ୍ରଚେଷ୍ଟା କରାଯାଇଛି, ସେ ଉଲ୍ଲେଖ କରିଛନ୍ତି ।

ଉକ୍ତ ବିଲ୍ ଅନୁଯାୟୀ କେନ୍ଦ୍ର ସରକାର ଏକ ଜାତୀୟ ଖଣି ନିୟାମକ ଅଥରିଟି ଗଠନ କରିବେ ଯାହାକୁ ଏକ ସିଭିଲ କୋର୍ଟର ମାନ୍ୟତା ଦିଆଯିବ । ଏହା ଯେକୌଣସି ରେକର୍ଡ଼ ଯାଞ୍ଚ କରିପାରିବା ଠାରୁ ଆରମ୍ଭ କରି ଅଭିଯୁକ୍ତଙ୍କୁ ଡ଼ାକି ଜେରା କରିପାରିବ ।

ଏହାବ୍ୟତୀତ ଧାରା ୧୨୧ ଅନୁଯାୟୀ ଅଥରିଟିର ନିର୍ଦ୍ଦେଶକଙ୍କୁ ଯେକୌଣସି ବ୍ୟକ୍ତି, ସରକାରଙ୍କ କୌଣସି ଅଧିକାରୀ ବା କର୍ତୃପକ୍ଷ ଅବମାନନା କଲେ ଏହାକୁ ଏକ ଅପରାଧ ରୂପେ ବିବେଚନା କରାଯିବ । ଏହିସମସ୍ତ ବ୍ୟବସ୍ଥା ଦ୍ୱାରାରାଜ୍ୟ ସରକାରଙ୍କ କ୍ଷମତା ସଂକୁଚିତ କରିବାକୁ ପ୍ରଚେଷ୍ଟା କରାଯାଉଛି ବୋଲି ସେ ଦର୍ଶାଇଛନ୍ତି ।

ଜାତୀୟ ନିୟାମକ ଅଥରିଟିକୁ ଉପଦେଷ୍ଟା କିମ୍ବା ସୁପାରିଶ କରିବାର କ୍ଷମତା ପ୍ରଦାନ କରିବା
ସ୍ୱାଗତଯୋଗ୍ୟ କିନ୍ତୁ ତଦନ୍ତ ଓ ନ୍ୟାୟିକ କ୍ଷମତା ପ୍ରଦାନ କରି ରାଜ୍ୟର କ୍ଷମତା ସଂକୁଚିତ କରିବା
ସମ୍ବିଧାନର ସଂଘୀୟ ବ୍ୟବସ୍ଥାର ଘୋର ଉଲଂଘନ ବୋଲି ନବୀନ ପତ୍ରରେ ର୍ଶାଇଛନ୍ତି ।

ତେଣୁ ଏହି ସବୁ ବ୍ୟବସ୍ଥାର ପୁନର୍ବିଚାର କରି ସଂପୃକ୍ତ ଧାରା ଗୁଡ଼ିକୁ ପ୍ରସ୍ତାବିତ ବିଲ୍ ରୁ ବାଦ ଦେବାକୁ ସେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version