Site icon Odisha.com

କାରାଗାରରେ ମହିଳାଙ୍କ ସାବିତ୍ରୀ ବ୍ରତ ପାଳନ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୨୦(ଓଡ଼ିଶା ଡ଼ଟ୍ କମ୍) ରବିବାର ସମଗ୍ର ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ ହୋଇଥିବା ବେଳେ ଭଦ୍ରକ ସ୍ଥିତ କାରାଗାରରେ ଥିବା ମହିଳାମାନେ ମଧ୍ୟ ସାବିତ୍ରୀ ବ୍ରତ କରିଛନ୍ତି ।

ବିଭିନ୍ନ ପରିସ୍ଥିତି ଓ ଘଟଣା ଚକ୍ରରେ ପଡ଼ି ଜେଲର ଚାରିକାନ୍ଥ ଭିତରେ ଜୀବନ ବିତାଉଥିବା ବହୁ ବିବାହିତା ମହିଳାମାନେ ପତିଙ୍କ ମଙ୍ଗଳ କାମନା କରି ଜେଲ ବାହାରେ ଥିବା ମହଦଦାବୀର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଶୁକ ମହାଳିକ ଏବଂ ବିଚାରଧିନ ବନ୍ଦୀଭାବେ ଜୟନ୍ତୀ ବେହେରା, ଭାରତୀ ଜେନା, ରଙ୍ଗଲତା ସାହୁ, ରଜନୀ ଦାସ, ଚମ୍ପା ଗାହାଣ ନିୟମାନୁସାରେ ଉପବାସ ରହି ନବବସ୍ତ୍ର ପରିଧାନକରି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।

ଏହି ମହିଳା ଅନ୍ତେବାସୀଙ୍କ ପାଇଁ ଜେଲ ପକ୍ଷରୁ ସମସ୍ତ ବ୍ରତ ଉପକରଣ ଓ ନବବସ୍ତ୍ର ଯୋଗାଇ ଦିଆଯାଇଥିଲା । ପୂଜାର୍ଚ୍ଚନା ସମୟରେ ଜେଲ ଅଧିକ୍ଷକ ଓ ଅନ୍ୟମାନେ ଉପସ୍ଥିତ ରହି ସେମାନଙ୍କୁ ସହଯୋଗ କରିଥିଲେ । ଗତ ଆଠ ବର୍ଷ ଧରି ମହିଳାମାନେ ଏହି ଜେଲ୍ ରେ ସାବିତ୍ରୀ ବ୍ରତ ପାଳନ କରିଆସୁଛନ୍ତି ।

ଜେଲ ଭିତରେ କେବଳ ସାବିତ୍ରୀ ବ୍ରତ ନୁହେଁ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କ ପାଇଁ ବର୍ଷର ପ୍ରତ୍ୟେକ ମାସରେ ପାଳନ କରାଯାଉଥିବା ପର୍ବପର୍ବାଣୀ ଏମାନେ ପାଳନ କରିଥାନ୍ତି ।

ସେହିପରି ସ୍ୱଳ୍ପ ରହଣୀ ଆବାସିକ କେନ୍ଦ୍ର “ଆସିୟାନା’ ଏବଂ “ଫେଲୋସିପ’ର ଆଶ୍ରୟରେ ଅବସ୍ଥାନ କରୁଥିବା ବିଭିନ୍ନ ବର୍ଗର ନିର୍ଯ୍ୟାତିତା ମହିଳା ମଧ୍ୟ ପତିଙ୍କ ଉଦ୍ଦେଶ୍ୟରେ ଏହି ବ୍ରତ ପାଳନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version