Site icon Odisha.com

ରବିଧାନ ସଂଗ୍ରହରେ ଅସହଯୋଗ, ଲକ୍ଷ୍ୟ ପୂରଣ ନେଇ ଆଶଙ୍କା

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମଇ ୨୦(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ରବିଧାନ ସଂଗ୍ରହରେ ମାର୍କଫେଡ୍, ନାଫେଡ୍ ଓ ଏଫ୍ସିଆଇର ଅସହଯୋଗ ଯୋଗୁଁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବାନେଇ ଆଶଙ୍କା ପ୍ରକାଶ ପାଇଛି ।

ଗତ ୧୦ ତାରିଖରୁ ରବି ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ହେଁ ୧୮ ତାରିଖ ସୁଦ୍ଧା କେବଳ ୫୪୭୪୦ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇପାରିଛି ।

ମାର୍କଫେଡ, ନାଫେଡ୍ ଓ ଏଫ୍ସିଆଇ ଧାନ କିଣିବାରେ ଟାଳଟୁଳ ନୀତି ଅବଲମ୍ବନ କରି ସମୟ ଗାଡ଼ାଇ ଚାଲିଥିବାରୁ ଚାଷୀ ମହଲରେ ଅସନ୍ତୋଷ ଖୋେଇଛି । ଏହି ସଂସ୍ଥା ଗୁଡ଼ିକ ବର୍ତମାନ ସୁଦ୍ଧା ଗୋଟିଏ ବସ୍ତା ଧାନ ସଂଗ୍ରହ କରିନାହାନ୍ତି ।

ଜିଲ୍ଲାର ୩ଟି ଆର୍ଏମ୍ସି ଅଧିନରେ ଥିବା ୪୧ଟି ମାର୍କେଟ୍ ୟାର୍ଡ଼ ଓ ୧୩ଟି ପର୍ଚେଜ ସେଣ୍ଟରରୁ ଧାନ ସଂଗ୍ରହ କରାଯାଉଥିବା ବେଳେ ରାଜ୍ୟ ଯୋଗାଣ ନିଗମ ମୋଟ୍ ୭ଲକ୍ଷ ୨୯ହଜାର ୮୬୧ ବସ୍ତା ବା ୫୪୭୩୯.୫୭୫ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିଛି ।

ମାର୍କେଟ୍ ୟାର୍ଡ଼ ଖୋଲିବାର ଆଠଦିନ ବିତିଯାଇଥିବା ବେଳେ ଅତାବିରା ଆର୍ଏମ୍ସିରୁ ୬ଲକ୍ଷ ୯୨ହଜାର ୯୫୭ ବସ୍ତା ଓ ବରଗଡ଼ ଆର୍ଏମ୍ସିରୁ ମାତ୍ର ୩୬ ହଜାର ୯୦୪ବସ୍ତା ଧାନ ସଂଗ୍ରହ ହୋଇଛି ।

ତେବେ ପଦ୍ମପୁର ଆର୍ଏମ୍ସି ଅନ୍ତର୍ଗତ ମାର୍କେଟ ୟାର୍ଡ଼କୁ ଧାନ ବିକ୍ରୟପାଇଁ ଆସିନଥିବା ସୂଚନା ମିଳିଛି ।

ଚଳିତ ରବି ଋତୁରେ ଧାନ ସଂଗ୍ରହ ପାଇଁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ୩ଲକ୍ଷ ୩୦ ହଜାର ମେଟ୍ରିକ୍ ଟନ୍, ନାଫେଡ ଓ ମାର୍କଫେଡ ପ୍ରତ୍ୟେକେ ୪୬୦୦୦ ମେଟ୍ରିକ୍ ଟନ୍, ଏଫ୍ସିଆଇ ୧୭୦୦୦ ମେଟ୍ରିକ୍ ଟନ୍ ଓ ଲେଭି ୨୨୦୦୦ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଏହିପରି ମୋଟ ୪୬୧୦୦୦ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ କେବଳ ରାଜ୍ୟ ଯୋଗାଣ ନିଗମ ପ୍ୟାକ୍ସ ଜରୀଆରେ ୫୪୭୩୯.୫୭୫ ମେଟ୍ରିକ୍ ଟନ୍ ଧାନ କ୍ରୟ କରିଥିବା ଅତିରିକ୍ତ ଯୋଗାଣ ଅଧିକାରୀ ନାରାୟଣ ପଣ୍ଡା କହିଛନ୍ତି ।

ଜିଲ୍ଲାର ୮୬ଟି ରାଇସ ମିଲ୍ ମଧ୍ୟରୁ ୪୦ଟି ମିଲ୍ ଏପର୍ଯ୍ୟନ୍ତ ଗତ ଖରିଫ ରୁତୁରେ କଷ୍ଟମ ମିଲିଂ ପାଇଁ ଦିଆଯାଇଥିବା ଚାଉଳ ଫେରାଇ ନଥିବାରୁ ବର୍ତମାନ କେବଳ ୪୬ଟି ରାଇସମିଲକୁ ଧାନ ସଂଗ୍ରହପାଇଁ ଅନୁମତି ମିଳିଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଆଗାମୀଦିନରେ ଅନ୍ୟ ରାଇସ ମିଲ୍ ଗୁଡ଼ିକୁ ମଧ୍ୟ ଧାନ ସଂଗ୍ରହ ପାଇଁ ଅନୁମତି ଦିଆଯିବ ବୋଲି କୁହାଯାଇଛି ।

ତେବେ ବର୍ତମାନ ପର୍ଯ୍ୟନ୍ତ ଅନେକ ଚାଷୀ ପରିଚୟ ପତ୍ର ପାଇନଥିବା ଏବଂ ମାର୍କେଟ ୟାର୍ଡ଼ରେ ଚାଷୀ ପରିଚୟ ପତ୍ର ମାଧ୍ୟମରେ ଧାନ ବିକ୍ରି କରିବାର ବ୍ୟବସ୍ଥା ଥିବାରୁ ଧାନ ସଂଗ୍ରହ ପ୍ରକ୍ରିୟା ଧିମେଇ ଯାଇଥିବା ଅଭିଯୋଗ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version