ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୨୧(ଓଡ଼ିଶା ଡ଼ଟ୍ କମ୍) ଚାଉଳ ସଂଗ୍ରହ କ୍ଷେତ୍ରରେ ଭାରତୀୟ ଖାଦ୍ୟ ନିଗମ ଅବହେଳା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ।
ଏଫ୍ସିଆଇ ପ୍ରତି ମାସରେ ଏକଲକ୍ଷ ଟନ୍ ଚାଉଳ ଅନ୍ୟ ଉପଭୋକ୍ତା ରାଜ୍ୟକୁ ଉଠାଇ ନେଉ ବୋଲି ସେ ଦାବି କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ଥିବା ଗୋଦାମ ଘର ଖାଲି ହେବ ଏବଂ ରବି ଋତୁର ଚାଉଳ ସଂଗ୍ରହ ପାଇଁ ସୁବିଧା ହେବ ବୋଲି ସେ କହିଛନ୍ତି ।
୨୦୦୩-୦୪ରୁ ସରକାରୀ ଭାବେ ଧାନ ଓ ଚାଉଳ ସଂଗ୍ରହ କରାଯାଉଛି । ଏହାଦ୍ୱାରାଚାଷୀମାନେ ଉପଯୁକ୍ତ ସହାୟକ ମୂଲ୍ୟ ପାଇପାରୁଛନ୍ତି । ସରକାରୀ ଏଜେନ୍ସି ଜରିଆରେ ଧାନ ସଂଗ୍ରହ କରାଯିବା ପରେ ତାହାକୁ ଚାଉଳ କରାଯାଇ ଏଫ୍ସିଆଇକୁ ଦିଆଯାଉଛି ।
୨୦୧୧-୧୨ ଖରିପ ଋତୁର ଅପ୍ରେଲ ୩୦ ତାରିଖ ମଧ୍ୟରେ ୨୧ଲକ୍ଷ ୬୧ହଜାର ଟନ୍ ଚାଉଳ ସଂଗ୍ରହ ହୋଇଛି । ଫଳରେ ଯୋଗାଣ ନିଗମ ଓ ଗୋଦାମ ଘର ଗୁଡ଼ିକରେ ଚାଉଳ ଭର୍ତ୍ତି ହୋଇ ରହିଛି ।
ଗୋଦାମ ଘର ଅଭାବ ଚାଉଳ ସଂଗ୍ରହ କରିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଛି । ରାଜ୍ୟର ଯୋଗାଣ ମନ୍ତ୍ରୀ ଏ ସମ୍ପର୍କରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।
ଗତ ଅପ୍ରେଲ ଓ ମଇ ମାସରେ ଏଫ୍ସିଆଇ କୌଣସି ଚାଉଳ ଅନ୍ୟ ରାଜ୍ୟକୁ ପଠାଇ ନାହିଁ । ୨୦୧୧ ଅକ୍ଟୋବର ମାସରେ ଏଫ୍ସିଆଇ ୭୨ହଜାର ଟନ୍ ଚାଉଳ ଅନ୍ୟ ରାଜ୍ୟକୁ ପଠାଇଥିଲା ।
ଓଡ଼ିଶାରୁ ସଂଗ୍ରହ ହେଉଥିବା ଚାଉଳ ପାଇଁ ଗୋଦାମ ଘର ଅଭାବ ଥିବାବେଳେ ଏଫ୍ସିଆଇ ଅନ୍ୟ ରାଜ୍ୟ ପାଇଁ ଉର୍ଦ୍ଧିଷ୍ଟ ଥିବା ୨ଲକ୍ଷ ଟନ୍ ଚାଉଳ ଏଠାରେ ମହଜୁଦ ରଖିଛି ।
ତେଣୁ ପରିସ୍ଥିତିର ମୁକାବିଲା ପାଇଁ ଏଫ୍ସିଆଇ ପ୍ରତି ମାସରେ ୧ଲକ୍ଷ ଟନ୍ ଚାଉଳ ଅନ୍ୟ ରାଜ୍ୟକୁ ପଠାଇବା ଆବଶ୍ୟକ ହେଉଛି । ତେଣୁ ଏଫ୍ସିଆଇକୁ ନିର୍ଦ୍ଦେଶ ଦେବାପାଇଁ ନବୀନ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍