Site icon Odisha.com

ଚାଉଳ ସଂଗ୍ରହରେ ଅବହେଳା ନେଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୧(ଓଡ଼ିଶା ଡ଼ଟ୍ କମ୍) ଚାଉଳ ସଂଗ୍ରହ କ୍ଷେତ୍ରରେ ଭାରତୀୟ ଖାଦ୍ୟ ନିଗମ ଅବହେଳା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ।

ଏଫ୍ସିଆଇ ପ୍ରତି ମାସରେ ଏକଲକ୍ଷ ଟନ୍ ଚାଉଳ ଅନ୍ୟ ଉପଭୋକ୍ତା ରାଜ୍ୟକୁ ଉଠାଇ ନେଉ ବୋଲି ସେ ଦାବି କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ଥିବା ଗୋଦାମ ଘର ଖାଲି ହେବ ଏବଂ ରବି ଋତୁର ଚାଉଳ ସଂଗ୍ରହ ପାଇଁ ସୁବିଧା ହେବ ବୋଲି ସେ କହିଛନ୍ତି ।

୨୦୦୩-୦୪ରୁ ସରକାରୀ ଭାବେ ଧାନ ଓ ଚାଉଳ ସଂଗ୍ରହ କରାଯାଉଛି । ଏହାଦ୍ୱାରାଚାଷୀମାନେ ଉପଯୁକ୍ତ ସହାୟକ ମୂଲ୍ୟ ପାଇପାରୁଛନ୍ତି । ସରକାରୀ ଏଜେନ୍ସି ଜରିଆରେ ଧାନ ସଂଗ୍ରହ କରାଯିବା ପରେ ତାହାକୁ ଚାଉଳ କରାଯାଇ ଏଫ୍ସିଆଇକୁ ଦିଆଯାଉଛି ।

୨୦୧୧-୧୨ ଖରିପ ଋତୁର ଅପ୍ରେଲ ୩୦ ତାରିଖ ମଧ୍ୟରେ ୨୧ଲକ୍ଷ ୬୧ହଜାର ଟନ୍ ଚାଉଳ ସଂଗ୍ରହ ହୋଇଛି । ଫଳରେ ଯୋଗାଣ ନିଗମ ଓ ଗୋଦାମ ଘର ଗୁଡ଼ିକରେ ଚାଉଳ ଭର୍ତ୍ତି ହୋଇ ରହିଛି ।

ଗୋଦାମ ଘର ଅଭାବ ଚାଉଳ ସଂଗ୍ରହ କରିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଛି । ରାଜ୍ୟର ଯୋଗାଣ ମନ୍ତ୍ରୀ ଏ ସମ୍ପର୍କରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ଗତ ଅପ୍ରେଲ ଓ ମଇ ମାସରେ ଏଫ୍ସିଆଇ କୌଣସି ଚାଉଳ ଅନ୍ୟ ରାଜ୍ୟକୁ ପଠାଇ ନାହିଁ । ୨୦୧୧ ଅକ୍ଟୋବର ମାସରେ ଏଫ୍ସିଆଇ ୭୨ହଜାର ଟନ୍ ଚାଉଳ ଅନ୍ୟ ରାଜ୍ୟକୁ ପଠାଇଥିଲା ।

ଓଡ଼ିଶାରୁ ସଂଗ୍ରହ ହେଉଥିବା ଚାଉଳ ପାଇଁ ଗୋଦାମ ଘର ଅଭାବ ଥିବାବେଳେ ଏଫ୍ସିଆଇ ଅନ୍ୟ ରାଜ୍ୟ ପାଇଁ ଉର୍ଦ୍ଧିଷ୍ଟ ଥିବା ୨ଲକ୍ଷ ଟନ୍ ଚାଉଳ ଏଠାରେ ମହଜୁଦ ରଖିଛି ।

ତେଣୁ ପରିସ୍ଥିତିର ମୁକାବିଲା ପାଇଁ ଏଫ୍ସିଆଇ ପ୍ରତି ମାସରେ ୧ଲକ୍ଷ ଟନ୍ ଚାଉଳ ଅନ୍ୟ ରାଜ୍ୟକୁ ପଠାଇବା ଆବଶ୍ୟକ ହେଉଛି । ତେଣୁ ଏଫ୍ସିଆଇକୁ ନିର୍ଦ୍ଦେଶ ଦେବାପାଇଁ ନବୀନ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version