Site icon Odisha.com

ମୁଖ୍ୟସ୍ରୋତକୁ ଫେରିବା ପାଇଁ ମାଓବାଦୀଙ୍କୁ ନିବେଦନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୧(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀମାନେ ହିଂସାର ପଥ ପରିହାର କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଆସିବା ପାଇଁ ରାଜ୍ୟ ସରକାର ନିବେଦନ କରିଛନ୍ତି ।

ସରକାର ମାଓ ମଧ୍ୟସ୍ଥି ମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛନ୍ତି । କିନ୍ତୁ ମାଓବାଦୀମାନେ ସେମାନଙ୍କ ସର୍ତ ଅନୁଯାୟୀ କାମ କରୁନାହାନ୍ତି ।

ମାଲକାନଗିରି ଜିଲ୍ଲାରେ ଗତ ୧୯ତାରିଖରେ ଜଣକୁ ହତ୍ୟା କରିଥିବା ବେଳେ ୧୬ ତାରିଖରେ ବନ୍ଦ ପାଳନ କରି ଜନସାଧାରଣଙ୍କ ସ୍ୱଭାବିକ ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି ।

ତେଣୁ ସେମାନେ ହିଂସାର ପଥ ପରିହାର କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଆସନ୍ତୁ । ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପାଇଁ ସରକାର ଆକର୍ଷଣୀୟ ଥଇଥାନ ଯୋଜନା କରିଛନ୍ତି । ସେମାନେ ଏହାର ସୁଯୋଗ ନିଅନ୍ତୁ ବୋଲି ସୋମବାର ଗୃହ ସଚିବ ଉପେନ୍ଦ୍ରନାଥ ବେହେରା କହିଛନ୍ତି ।

ଇଟାଲୀୟ ନାଗରିକ ଓ ଲକ୍ଷ୍ମୀପୁର ବିଧାୟକଙ୍କ ମୁକ୍ତି ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରାଯାଇଛି । ତେବେ ମାଓବାଦୀମାନେ ଦେଇଥିବା ସର୍ତରୁ ଓହରିଯାଇ ହିଂସାକାଣ୍ଡ ଘଟାଉଛନ୍ତି ବୋଲି ସେ କହିଛନ୍ତି ।

ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ ସାଂଗଠନିକ ସମ୍ପାଦକ ସବ୍ୟସାଚୀ ପଣ୍ଡା ଗତକାଲି ଗଣମାଧ୍ୟମକୁ ଦେଇଥିବା ଅଡିଓ ଟେପ୍ ପଣ୍ଡା ଯାହା ଅଭିଯୋଗ କରିଛନ୍ତି ତାହା ତଥ୍ୟଭିତ୍ତିକ ନୁହେଁ ବୋଲି ସେ କହିଛନ୍ତି ।

ଇଟାଲୀୟ ନାଗରିକ ଅପହରଣ ଘଟଣାରେ ୪ଜଣ ବନ୍ଦୀଙ୍କୁ ଓ ଲକ୍ଷ୍ମୀପୁର ବିଧାୟକ ଅପହଣ ଘଟଣାରେ ୨୩ଜଣ ବନ୍ଦୀଙ୍କୁ ଛାଡ଼ିବା ପାଇଁ ପଦେକ୍ଷପ ନିଆଯାଉଛି । ୨୩ ଜଣଙ୍କ ମଧ୍ୟରେ ବିଜୟ ତାଡ଼ିଙ୍ଗି ଅଛନ୍ତି । ବିଜୟ ତାଡ଼ିଙ୍ଗିଙ୍କ ମୁକ୍ତି ପାଇଁ ମାଓନେତା ସବ୍ୟସାଚୀ ପଣ୍ଡା ମାଓମଧ୍ୟସ୍ଥିି ଦଣ୍ଡପାଣିଙ୍କ ମାଧ୍ୟମରେ ଅନୁରୋଧ କରିଥିଲେ ।

ତେଣୁ ଇଟାଲୀୟ ନାଗରିକ ଅପହରଣ ଘଟଣାରେ ୫ଜଣ ବନ୍ଦୀଙ୍କୁ ମୁକ୍ତିପାଇଁ ପଦେକ୍ଷପ ନିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ଦାସଙ୍କୁ ଖଲାସ କରାଯାଇଛି, ସେ କହିଛନ୍ତି ।

ପଣ୍ଡାଙ୍କ ଅଭିଯୋଗ ଅନୁଯାୟୀ ଶୁଭଶ୍ରୀଙ୍କ ବିରୁଦ୍ଧରେ କୌଣସି ନୂଆ ମାମଲା ରୁଜୁ କରାଯାଇ ନାହିଁ । ୨୦୦୮ ରେ ନୟାଗଡ଼ ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର ମାଓବାଦୀଙ୍କ ଦାବି ପୂରଣ ପାଇଁ ସେମାନଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ କିନ୍ତୁ ତାହା ପୂରଣ କରିବାକୁ ପଦେକ୍ଷପ ନେଉନାହାନ୍ତି ।

ସରକାର ଯୁଦ୍ଧବିରତି ଘୋଷଣା କରିଥିଲେ । କିନ୍ତୁ ପୋଲିସ କୁମ୍ବିଂ ଅପରେସନ ଜାରି ରଖିଛି ବୋଲି ଦର୍ଶାଇ ମାଓ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଓ ବିଡି ଶର୍ମା ଏକ ମିଳିତ ପତ୍ର ରାଜ୍ୟ ସରକାରଙ୍କୁ ପଠାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version