Site icon Odisha.com

ରାଜ୍ୟର ଆର୍ଥିକ ସ୍ଥିତିରେ ଉନ୍ନତି: ଅର୍ଥମନ୍ତ୍ରୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୨(ଓଡ଼ିଶା ଡ଼ଟ୍ କମ୍) ଆର୍ଥିକ ପରିଚାଳନା ତଥା ସଂସ୍କାର ଯୋଗୁଁ ରାଜ୍ୟର ଆର୍ଥିକ ସ୍ଥିତିରେ ଏବେ ଉନ୍ନତି ଆସିଛି ବୋଲି ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ କହିଛନ୍ତି ।

ଏହାବ୍ୟତୀତ ରାଜ୍ୟର ଆୟ ଠାରୁ ମୌଳିକ ଦେୟ ପ୍ରଥମ ଥର ପାଇଁ କମ୍ ହୋଇଛି ବୋଲି ମଙ୍ଗଳବାର ସେ ସଚିବାଳୟ ଠାରେ ସାମ୍ବାିକଙ୍କୁ କହିଛନ୍ତି ।

୨୦୧୦-୧୧ ବର୍ଷରେ ଋଣଭାର ୩୯ ହଜାର ୧୩୬ କୋଟି ୯୧ ଲକ୍ଷ ଟଙ୍କା ଥିଲାବେଳେ ଗତ ୨୦୧୧-୧୨ ଆର୍ଥକ ବର୍ଷରେ ୩୮ ହଜାର ୭୮ କୋଟି ୮୪ ଲକ୍ଷ ଟଙ୍କା ହୋଇଛି ।

ଋଣ ଭାର ହ୍ରାସ ଆର୍ଥକ ସ୍ଥିତିରେ ଉନ୍ନତି ହେବାର ପ୍ରଥମ ଲକ୍ଷଣ । ଏ କ୍ଷେତ୍ରରେ ଉଚ୍ଚ ସୁଧହାର ଋଣକୁ ମୃଦୁ ସୁଧହାର ଋଣରେ ପରିବର୍ତନ ଏବଂ ଋଣ ଆଦାୟ କ୍ଷେତ୍ରରେ ଏକକାଳୀନ ପୈଠ ବ୍ୟବସ୍ଥାର ସଫଳ ପରିଚାଳନା ଦ୍ୱାରାଏହା ସମ୍ଭବ ହୋଇପାରିଛି, ସେ କହିଛନ୍ତି ।

ରାଜ୍ୟ ଇତିହାସରେ ପ୍ରଥମଥର ପାଇଁ ମୌଳିକ ଦେୟ ଯଥା ଦରମା, ପେନ୍ସନ ଓ ଋଣ ଉପରେ ସୁଧ ମୋଟ ଆୟଠାରୁ କମ୍ ହୋଇଛି ।

ଗତ ୨୦୧୧-୧୨ ଆର୍ଥିକ ବର୍ଷରେ ମୋଟ ଆୟ ୧୯ ହଜାର ୫୮୭ କୋଟି ୩୧ ଲକ୍ଷ ଟଙ୍କା ଥିବାବେଳେ ମୌଳିକ ୟେ ପରିମାଣ ୧୭ ହଜାର ୭୦୧ କୋଟି ୪ଲକ୍ଷ ଟଙ୍କା ହୋଇଛି ।

କର୍ମଚାରୀଙ୍କ ଦରମା ବାବଦରେ ୧୦ ହଜାର ୯୬୭ କୋଟି ୯ ଲକ୍ଷ ଟଙ୍କା, ପେନ୍ସନ ବାବଦରେ ୪ ହଜାର ୭୩୧ କୋଟି ୫୯ ଲକ୍ଷ ଟଙ୍କା ଏବଂ ସୁଧ ପଇଠ ବାବଦରେ ୨ ହଜାର ୨ କୋଟି ୩୮ ଲକ୍ଷ ଟଙ୍କା ଅନ୍ତର୍ଭୁକ୍ତ ।

୨୦୧୦-୧୧ ବର୍ଷରେ ମୋଟ୍ ଆୟ ପରିମାଣ ୧୫ ହଜାର ୯୭୩ କୋଟି ୩ ଲକ୍ଷ ଟଙ୍କା ଥିବାବେଳେ ମୌଳିକ ଦେୟ ପରିମାଣ ୧୮ ହଜାର ୨୯୨ କୋଟି ୩୯ ଲକ୍ଷ ଟଙ୍କା ହୋଇଥିଲା ।

ଏଥିମଧ୍ୟରେ ଦରମା ବାବଦରେ ୧୧ ହଜାର ୨୧୯ କୋଟି ୯୦ ଲକ୍ଷ ଟଙ୍କା, ପେନ୍ସନ ବାବଦରେ ୪ ହଜାର ୧୧ କୋଟି ଟଙ୍କା ଏବଂ ସୁଧ ପଇଠ ବାବଦରେ ୩ ହଜାର ୬୧ କୋଟି ୩୯ ଲକ୍ଷ ଟଙ୍କା ଅନ୍ତର୍ଭୁକ୍ତ ବୋଲି ଘଡ଼ାଇ କହିଛନ୍ତି ।

୨୦୧୧-୧୨ ଆର୍ଥିକ ବର୍ଷରେ ମୋଟ୍ ରାଜସ୍ୱ ଆଦାୟ ୩୯ ହଜାର ୫୨୫ କୋଟି ୫୯ ଲକ୍ଷ ଟଙ୍କା ହୋଇଥିବା ବେଳେ ଉଭୟ ଯୋଜନା ଓ ଅଣଯୋଜନା ଅଟକଳ ୩୪ ହଜାର ୫୫୦ କୋଟି ୧୩ ଲକ୍ଷ ଟଙ୍କା ହୋଇଥିଲା ।

ଏହାଦ୍ୱାରା ରାଜସ୍ୱ ବଳକା ପରିମାଣ ୪ ହଜାର ୯୭୫ କୋଟି ୪୭ ଲକ୍ଷ ଟଙ୍କା ହୋଇଛି । ସେହିପରି ବିତ୍ତୀୟ ବଳକା ପରିମାଣ ୪୩ କୋଟି ୬୪ ଲକ୍ଷ ଟଙ୍କା ହୋଇଥିବା ବେଳେ ପ୍ରାଥମିକ ଆର୍ଥିକ ବଳକା୨ ହଜାର ୪୬ କୋଟି ୨ଲକ୍ଷ ଟଙ୍କା ହୋଇପାରିଛି ।

ଚଳିତ ବର୍ଷରେ ସାମଗ୍ରିକ ଭାବେ ୫୦ ହଜାର ୭୭୨ କୋଟି ୩୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୪୨ ହଜାର ୯୮ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ସେହିପରି ଯୋଜନା ଅଟକଳ ୧୪ ହଜାର ୪୩୦ କୋଟି ମଧ୍ୟରୁ ୧୨ ହଜାର ୨୭୫ କୋଟି ଟଙ୍କା ବ୍ୟୟ ହୋଇଛି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version