Site icon Odisha.com

ପେଟ୍ରୋଲ ର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ, ଧାରଣା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୪(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାରଙ୍କ ପେଟ୍ରୋଲ ମୂଲ୍ୟ ବୃଦ୍ଧିକୁ ବିରୋଧ କରି ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଛି ।

ଭୁବନେଶ୍ୱର ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ମଟର ସାଇକେଲ ର୍ୟାଲି କରାଯିବା ସହ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦିଆଯାଇଛି ।

ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକ ବିଶେଷ ଭାବରେ ପ୍ରଭାବିତ ହେବେ ବୋଲି ଦର୍ଶାଇ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି । ଦରବୃଦ୍ଧି ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଆନ୍ଦୋଳନ ଜାରି ରହିବ ବୋଲି ଯୁବମୋର୍ଚ୍ଚାର ଜଣେ ସଦସ୍ୟ କହିଛନ୍ତି ।

ସେହିପରି ବିଜୁ ଯୁବ ଜନତା ଦଳର ପକ୍ଷରୁ ମଧ୍ୟ ଦରବୃଦ୍ଧି ପ୍ରତ୍ୟାହାର କରିବାକୁ ଦାବି କରାଯାଇ
ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି । ବାମଦଳ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନୟରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପରିବହନ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପକାଇବ ଏବଂ ଏହାଦ୍ୱାରା ସାଧାରଣ ଲୋକେ ଅସୁବିଧାର ସମ୍ମୁଖିନ ହେବେ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଗଣମାଧ୍ୟମକୁ କହିଛନ୍ତି ।

ସିପିଆଇଏମ୍ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ମଧ୍ୟ ଜିଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପେଟ୍ରୋଲ ଦରବୃଦ୍ଧିକୁ ପ୍ରତ୍ୟାହାର କରାନଗଲେ ସମସ୍ତ ବାମପନ୍ଥି ଦଳ ଗୁଡ଼ିକ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତି ବିରୋଧରେ ସମଗ୍ର ଦେଶରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ୱର ବ୍ୟତୀତ କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ପୁରୀ, ବାଲେଶ୍ୱର ଆଦି ସହରରରେ ଦରବୃଦ୍ଧି ପ୍ରତିବାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବୁଧବାର ମଧ୍ୟରାତ୍ରରୁ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୭ଟଙ୍କା ୫୦ ପଇସା ବୃଦ୍ଧି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version