Site icon Odisha.com

ଜନବସତି ଅଂଚଳରେ କଳକାରଖାନା, ନିୟମ ଉଲଂଘନ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମଇ ୨୫(ଓଡ଼ିଶା ଡ଼ଟ୍ କମ୍) କୌଣସି ଜନବସତି, ଶିକ୍ଷାନୁଷ୍ଠାନ କିମ୍ବା ସର୍ବସାଧାରଣ ବ୍ୟବହୃତ ସ୍ଥାନ ଠାରୁ ୫୦୦ ମିଟର ଦୂରରେ କଳକାରଖାନା ରହିବା ନିୟମ ଥିଲେ ମଧ୍ୟ ବରଗଡ଼ରେ ଏହାର ଖୋଳାଖୋଲି ଉଲଂଘନ ହେଉଥିବା ଅଭିଯୋଗ ହୋଇଛି ।

ଭଟଲି ରୋଡ଼ ସ୍ଥିତ ନାକାଛକରେ ଚାଲୁଥିବା ଚାଉଳ କଳ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ଏହା ଯୋଗୁଁ ଆଖପାଖ ଅଂଚଳର ପ୍ରାୟ ସାତ ହଜାର ପରିବାର ପ୍ରଭାବିତ ହେଉଛନ୍ତି ।

ବିଶେଷକରି ୧ନଂ ୱାର୍ଡ଼ର କେଶବ ନଗର, ଟାଙ୍ଗରପଡ଼ା, ନୀପଡ଼ା, ୫ନଂ ୱାର୍ଡ଼ର ସହଁରାପଡ଼ା, ବିଂଚାଲପଡ଼ା, ୭ନଂ ୱାର୍ଡ଼ର ପାଠାନପଡ଼ା, ନୂଆପଡ଼ାର ଲୋକେ ଚାଉଳକଳରୁ ନିର୍ଗତ ବିଷାକ୍ତ କାର୍ବନ ମନୋକ୍ସାଇଡ଼ ଗ୍ୟାସ ଓ ପାଉଁଶର ପ୍ରଭାବରେ ବହୁ ଗୁରୁତର ରୋଗର ଶିକାର ହେଉଛନ୍ତି ।

ଚାଉଳକଳର ପଛପଟେ ୧୦୦ ମିଟର ମଧ୍ୟରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରହିଥିବା ବେଳେ
୫୦୦ମିଟର ପରିଧି ମଧ୍ୟରେ ପ୍ରଧାନ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ୟୁ.ଜି.ଏମ୍.ଇ.ସ୍କୁଲ ଏବଂ ହିନ୍ଦୀ ବାଳିକା ବିଦ୍ୟାଳୟ ରହିଛି ।

ଚାଉଳ କଳରୁ ନିର୍ଗତ ନର୍ଦ୍ଧମାଯୁକ୍ତ ବିଷାକ୍ତ ଆବର୍ଜନା ପାଣି ପଛପଟେ ଥିବା ସରସ୍ୱତୀ ଶିଶୁ ମନ୍ଦିର ସମ୍ମୁଖରେ ଜମା ହେଉଥିବାରୁ ଏଠାରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ।

ବିଗତ ଦୀର୍ଘିନ ହେବ ନାକାଛକରେ ଚାଉଳକଳ ଚାଲୁଥିଲେ ମଧ୍ୟ ପ୍ରଦୁଷଣଜନିତ ନୁନ୍ୟତମ ସୁରକ୍ଷା
ବ୍ୟବସ୍ଥା ସୁଦ୍ଧା ଗ୍ରହଣ କରାଯାଇ ନାହିଁ । ଏ ସମ୍ପର୍କରେ ପୂର୍ବରୁ ସ୍ଥାନୀୟ ବାସିନ୍ଦା ବହୁବାର ଜିଲ୍ଲା
ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳିନଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ତେବେ ଜିଲ୍ଲାରେ ପ୍ରଦୁଷଣ ବୋର୍ଡ଼ର କୌଣସି କାର୍ଯ୍ୟାଳୟ କିମ୍ବା ଅଧିକାରୀ ନଥିବାରୁ ଅଭିଯୋଗ ପ୍ରକୃତ କର୍ତୃପକ୍ଷଙ୍କ ନିକଟରେ ପହଂଚି ପାରୁନଥିବା କୁହାଯାଇଛି ।

ଏହି ଚାଉଳ କଳରୁ ବାହାରୁଥିବା କାର୍ବନ ମନୋକ୍ସାଇଡ, କାର୍ବନ ଡାଇକ୍ସାଇଡ ସମେତ ଅନ୍ୟାନ୍ୟ ବିଷାକ୍ତ ଧୂଆଁ ଓ ପାଉଁଶଗୁଣ୍ଡ ବାୟୁ ମଣ୍ଡଳରେ ମିଶି ସମଗ୍ର ଅଂଚଳକୁ କଳାବାଦଲ ସଦୃଶ ଢାଙ୍କି ରଖୁଛି ।

ଏଥିପାଇଁ ଆଖାପାଖ ଅଂଚଳର ପ୍ରାୟ ୬୦ଜଣ ବିଭିନ୍ନ ଶ୍ୱାସରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଘରଛାତ ମାନଙ୍କରେ ଏକ କଳାଆସ୍ତରଣ ବସିଯାଉଥିବା ବେଳେ ଧୁଅାଁ କପଡ଼ା ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ସୁଖାଇବା ପାଇଁ ଛାତକୁ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି ।

ସେହିପରି କାରଖାନା ପକ୍ଷରୁ କୌଣସି ଆସ ପଣ୍ଡ କିମ୍ବା ଡମ୍ପିଂ ୟାର୍ଡ଼ ନିର୍ମାଣ କରାଯାଇ ନଥିବାରୁ ନିକଟସ୍ଥ ଅଂଚଳରେ ଭୂତଳ ଜଳ ମଧ୍ୟ ପ୍ରଦୁଷିତ ହୋଇ ପଡ଼ିଛି । କୌଣସି ଖୋଲା ସ୍ଥାନରେ ପିଇବା ପାଣି ରଖିଲେ ତା ଉପରେ ଏକ ଆସ୍ତରଣ ଯମି ଜାଉଛି ଯାହାକି ପିଇବାପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ।

ସବୁଠାରୁ ବିପଦପୂର୍ଣ୍ଣ ବିଷୟ ହେଉଛି ନାକାଛକ ସ୍ଥିତ ଏହି ଚାଉଳ କଳ ସମ୍ମୁଖରୁ ଗଲାବେଳେ
କ୍ଷୁ୍ରକଣିକା ସଦୃଶ ପାଉଁଶଗୁଣ୍ଡ ଆଖିରେ ପଶି ଯିବାରୁ ୩ଜଣ ବ୍ୟକ୍ତି ଆଖି ଅସ୍ତ୍ରୋପଚାର କରିଥିବା ଜଣା ପଡ଼ିଛି ।

ତେଣୁ ଜନବସତି ଅଂଚଳରୁ ତୁରନ୍ତ ଏହି କାରଖାନାକୁ ସ୍ଥାନାନ୍ତର କରିବା ସହ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version