Site icon Odisha.com

ଜୁନରେ ଏଫ୍ସିଆଇ ଚାଉଳ ସଂଗ୍ରହ କରିବ: କେନ୍ଦ୍ର ସଚିବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୬(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ଜୁନ୍ ମାସରେ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ରାଜ୍ୟରୁ ବଳକା ଚାଉଳରୁ ୫୦ ହଜାର ଟନ୍ ଉଠାଇବ ବୋଲି କେନ୍ଦ୍ର ଖାଦ୍ୟ ଓ ଯୋଗାଣ ସଚିବ ବି.ସି. ଗୁପ୍ତା ଭୁବନେଶ୍ୱରରେ କହିଛନ୍ତି ।

ଶନିବାର ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଂଚି ରାଜ୍ୟ ଯୋଗାଣ ସଚିବ ମଧୁସୂନ ପାଢୀ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

୫୦ ହଜାର ଟନ୍ ବଳକା ଚାଉଳକୁ ଅନ୍ୟ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ଗୁପ୍ତା କହିଛନ୍ତି । ରାଜ୍ୟରୁ ସଂଗୃହୀତ ଚାଉଳ ଯେଭଳି ପିଡିଏସ୍ରେ ବଂଟନ କରାଯାଉଛି ତାହା ଠିକ୍ ବୋଲି ସେ କହିଛନ୍ତି ।

ଗରିବ ପରିବାର ପାଇଁ ଉଦ୍ଧିଷ୍ଟ ଚାଉଳକୁ ସରକାର ଠିକ୍ ସମୟରେ ଉଠାଉ ନାହାଁନ୍ତି ବୋଲି ସେ ଜାଣିବାକୁ ପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରାଜ୍ୟରେ ବଳକା ଥିବା ଚାଉଳକୁ ଏଫ୍ସିଆଇ ଉଠାଉ ନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ ।

ଗତ ଅପ୍ରେଲ ମାସ ଠାରୁ ଏଫ୍ସିଆଇ କୌଣସି ଚାଉଳ ରାଜ୍ୟରୁ ଉଠାଇନଥିବାରୁ ଗୋଦାମ ଘର ଅଭାବରୁ ରବି ଋତୁର ଚାଉଳ ସଂଗ୍ରହ ନେଇ ଆଶଙ୍କା ସୃଷ୍ଟି ହୋଇଛି ବୋଲି ସେ ଦର୍ଶାଇଥିଲେ ।

ତେଣୁ ପ୍ରତି ମାସରେ ଏକ ଲକ୍ଷ ଟନ୍ ଚାଉଳ ଉଠାଣ ପାଇଁ ଏଫ୍ସିଆଇକୁ ନିର୍ଦ୍ଦେଶ ଦେବାକୁ ସେ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version