Site icon Odisha.com

କେଶବ ଚନ୍ଦ୍ର ମେହେରଙ୍କ ଜୟନ୍ତୀ ପାଳିତ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମଇ ୨୭(ଓଡ଼ିଶା ଡ଼ଟ୍ କମ୍) କେଶବ ଚନ୍ଦ୍ର ମେହେର ସ୍ମୃତି କମିଟି ପକ୍ଷରୁ ବରଗଡ଼ ସ୍ଥିତ ସାୱଡ଼ିଆ ପ୍ୟାଲେସ ସମ୍ମିଳନୀ କକ୍ଷରେ ଡ଼କ୍ଟର କେଶବ ଚନ୍ଦ୍ର ମେହେର ଜୟନ୍ତୀ ପାଳିତ ହୋଇଯାଇଛି ।

ପଦ୍ମଶ୍ରୀ କୁଞ୍ଜ ବିହାରୀ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରଗଡ଼ ଅତିରିକ୍ତ ଜିଲ୍ଳାପାଳ ଶ୍ରୀନିବାସ କବି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ପ୍ରତିଛବିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହାକୁ ଉ୍ଘାଟନ କରିଥିଲେ ।

ସ୍ମୃତି କମିଟି ପକ୍ଷରୁ ମଣୀନ୍ଦ୍ର କୁମାର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାରୋହର ପ୍ରାରମ୍ଭରେ କବିଙ୍କ ରଚିତ କବିତା ଆବୃତିରୁ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟବକ୍ତା ରୂପେ ଯୋଗ ଦେଇ ରବୀନ୍ଦ୍ର ଚନ୍ଦ୍ର ଗଡ଼ତିଆ ଡ଼କ୍ଟର ମେହେରଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ସମଗ୍ର ପଶ୍ଚିମ ଓଡ଼ିଶାର ସାହିତ୍ୟ ପ୍ରତିଭା ମାନଙ୍କୁ ସେ କିଭଳି ଆଗକୁ ନେବା ପାଇଁ ଆନ୍ତରିକତାରସହ ଉଦ୍ୟମ କରିଥିଲେ ତାହାର ଉଦାହରଣ ହେଇଥିଲେ ।

ଡ଼କ୍ଟର ମେହେର ପୂର୍ବ ଓ ପଶ୍ଚିମ ଓଡ଼ିଶାର ସାହିତ୍ୟକମାନଙ୍କ ମଧ୍ୟରେ ଯୋଗସୁତ୍ର ସମ୍ପର୍କର ସେତୁ ଥିଲେ ବୋଲି ସେ କହିଥିଲେ ।

ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ବରଗଡ଼ ଜିଲ୍ଳାର ଝରଗ୍ରାମରେ ସେ ଜନ୍ମଲାଭ କରିଥିଲେ ହେଁ ସୋନପୁର ତାଙ୍କର କର୍ମସ୍ଥଳୀ ଥିଲା । ଏହାସହିତ ସେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପରିବାରରେ ବିବାହ କରିଥିବାରୁ ପଶ୍ଚିମ ଓଡ଼ିଶାର ବାନ୍ଧକଳା ସମ୍ପର୍କରେ ତାଙ୍କର ବିଶେଷ ଦକ୍ଷତା ଥିଲା ।

ଏହାର ଆଧାରରେ ସେ ପଶ୍ଚିମ ଓଡ଼ିଶାର ବାନ୍ଧକଳା ସମ୍ପର୍କରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପୁସ୍ତକ ରଚନା କରିଥିଲେ । ଯାହା ଓଡ଼ିଶାର ବାନ୍ଧକଳା ସମ୍ପର୍କରେ ପ୍ରଥମ ପ୍ରାମାଣିକ ପୁସ୍ତକ ବୋଲି ଗଡ଼ତିଆ ପ୍ରକାଶ କରିବା ସହ ତାଙ୍କ ପ୍ରକାଶିତ ଓ ଅପ୍ରକାଶିତ ଗ୍ରନ୍ଥ ଗୁଡ଼ିକୁ ନେଇ ଏକ ଗ୍ରନ୍ଥାବଳୀ ପ୍ରକାଶନ ପାଇଁ ପରାମର୍ଶ ଦେଇଥିଲେ ।

ଆଲୋଚନାରେ ଅଂଶ ଗ୍ରହଣକରି ସାମ୍ବାଦିକ ତଥା ଆଇନଜୀବୀ ଗୋରଖନାଥ ସାହୁ ମେହେରଙ୍କ ସୋନପୁର ଅବସ୍ଥାନ କାଳର ସ୍ମୃତି ରୋମନ୍ଥନ କରିବା ସହ ତାଙ୍କ ପରାମର୍ଶ ଓ ସହଯୋଗରେ ସୋନପୁରରେ କିଭଳି ସାହିତ୍ୟର ବିକାଶ ଘଟିଥିଲା ତାହା ବର୍ଣ୍ଣନା କରିଥିଲେ ।

ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ସମାଜ ପ୍ରତି ମହନୀୟ ଅବାନ ଥିବା ବ୍ୟକ୍ତି ମାନଙ୍କ ସମ୍ପର୍କରେ ନିୟମିତ ରୂପେ ଆଲୋଚନା କରାଯିବା ସାଙ୍ଗକୁ ପୁଜ୍ୟ ପୂଜାର ପରମ୍ପରା ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ ।

ସେହିଭଳି ଉତ୍ସବରେ ଅଧ୍ୟକ୍ଷତା କରିଥିବା ପଦ୍ମଶ୍ରୀ ଚର୍ତୁଭୁଜ ମେହେର ତାଙ୍କ ବକ୍ତବ୍ୟରେ ଓଡ଼ିଶାର ବୟନକଳାକୁ ପ୍ରତିଷ୍ଠିତ କରାଇବା ଦିଗରେ ଡ଼କ୍ଟର କେଶବ ଚନ୍ଦ୍ର ମେହେରଙ୍କ ଅବଦାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ତାଙ୍କର ସହଯୋଗ ବିନା ପଶ୍ଚିମ ଓଡ଼ିଶାର ବୟନକଳା ବିଶ୍ୱ ଦରବାରରେ ଏତେ ସହଚରେ ପରିଚିତି ଲାଭ କରି ପାରିନଥାନ୍ତା ବୋଲି ସେ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version