Site icon Odisha.com

ସିବିଏସ୍ଇ ଦ୍ଵାଦଶ ପରୀକ୍ଷାରେ ଚନ୍ଦ୍ରଶେଖରପୁର ଡ଼ିଏଭି ଶୀର୍ଷରେ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୮(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଥିବା ବେଳେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଡ଼ିଏଭି ସ୍କୁଲ ରାଜ୍ୟରେ ଶୀର୍ଷ ସ୍ଥାନରେ ରହିଛି ।

ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ସମସ୍ତ ୧୯୩ ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୨ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।

ବିଜ୍ଞାନ ବିଭାଗରେ ଆଦିତ୍ୟ ଶେଖର ଆଚାର୍ଯ୍ୟ ୯୬.୨ ପ୍ରତିଶତ ରଖି ପ୍ରଥମ ହୋଇଥିବା ବେଳେ ଅଭିଷେକ ଦାଶ ଓ ସ୍ୱୟଂସିଦ୍ଧ ଷଡ଼ଙ୍ଗୀ ୯୫.୮ ପ୍ରତିଶତ ରଖି ଯୁଗ୍ମଦ୍ୱିତୀୟ ଏବଂ ସିଦ୍ଧାର୍ଥ ମନୁ ୯୫.୪ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ସମସ୍ତ ଏକକ ବିଷୟରେ ଆଭରେଜ ୮୫ ନମ୍ବର ଥିବା ବେଳେ ଇଂରାଜୀ ଓ ବାଇଓଲୋଜିରେ ୯୦ ଓ ଗଣିତ ଓ କମ୍ପ୍ୟୁଟର ବିଷୟରେ ଛାତ୍ରଛାତ୍ରୀମାନେ ଶହେରୁ ଶହେ ନମ୍ବର ରଖିଛନ୍ତି ।

ସେହିପରି ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୨୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬ ଜଣ ୬୦ ପ୍ରତିଶତରୁ ଅଧିକ ନମ୍ବର ସହ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ମିଲ୍ଟନ୍ ଦାସ ୯୨.୬ ପ୍ରତିଶତ, ରଜତ ଅଗ୍ରୱାଲ ୯୨ ପ୍ରତିଶତ ଓ ଏଲିସ୍ ଦାଶ ୯୧.୬ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version