Site icon Odisha.com

ଖଣିଜ ପଦାର୍ଥ ପରିଚାଳନାରେ ୬ବନ୍ଦରକୁ ସାମିଲ ପାଇଁ ନିଷ୍ପତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଖଣି ଦୁର୍ନୀତି ଓ ଖଣିଜ ପଦାର୍ଥ ଚୋରାଚାଲାଣ ରୋକିବା ପାଇଁ ଆରମ୍ଭ କରାଯାଇଥିବା ସମନ୍ୱିତ ଖଣିଜ ପଦାର୍ଥ ଓ ଖଣି ପରିଚାଳନା କାର୍ଯ୍ୟକ୍ରମରେ ୬ଟି ବନ୍ଦରକୁ ସାମିଲ୍ କରିବାକୁ ସରକାର ନିଷ୍ପତି ନେଇଛନ୍ତି ।

ଏହି ନିଷ୍ପତି ଆଗାମୀ ଜୁନ୍ ପହିଲାରୁ କାର୍ଯ୍ୟକାରୀ ହେବ । ଏ କ୍ଷେତ୍ରରେ ଅସହଯୋଗ କଲେ ସପୃକ୍ତ ବନ୍ଦର ଦେଇ ଖଣି ଚାଲାଣ ବନ୍ଦ କରାଯିବ ବୋଲି ଖଣି ଓ ଇସ୍ପାତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ବନ୍ଦର ଗୁଡ଼ିକ ହେଲା ପଶ୍ଚିମବଙ୍ଗର ହଳିଆ, ଓଡ଼ିଶାର ଧାମରା ଏବଂ ପାରାଦ୍ଵିପ ତଥା ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, କାକିନାଡା ଏବଂ ଗଙ୍ଗାହରମ୍ ।

ଏହି ବନ୍ଦରଗୁଡ଼ିକ ଦେଇ ଓଡ଼ିଶାରୁ ଖଣିଜ ପଦାର୍ଥ ରପ୍ତାନି କରାଯାଇଥାଏ । ଏଣିକି ବନ୍ଦର କର୍ତୃପକ୍ଷସେମାନଙ୍କ ବାଟ ଦେଇ ଯାଉଥିବା ଟ୍ରକ୍ ଏବଂ ମାଲ୍ ସଂପର୍କରେ ସବିଶେଷ ବିବରଣୀ ତୁରନ୍ତ ଖଣି ନିର୍ଦ୍ଦେଶାଳୟକୁ ପ୍ରଦାନ କରିବେ ।

ଯଦି ସପୃକ୍ତ ଟ୍ରକ୍ ଟି ଖଣି ଅଂଚଳରୁ ବାହାରିବା ସମୟରେ ନେଇଥିବା ମାଲ୍ ତଥ୍ୟ ସହିତ ବନ୍ଦର କର୍ତ୍ତୁପକ୍ଷଙ୍କ ତଥ୍ୟରେ ତାଳମେଳ ନରହିଲେ ସେ ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ନୂତନ ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ଖଣି ଲିଜ୍ ଅଧିକାରୀଙ୍କୁ ସ୍ୱତନ୍ତ୍ର କମ୍ପ୍ୟୁଟରକୃତ ନମ୍ବର ଦିଆଯାଇଥିବା ବେଳେ ସେଗୁଡ଼ିକ ସଂପର୍କରେ ଉକ୍ତ ବନ୍ଦର କର୍ତୃପକ୍ଷଙ୍କୁ ଅବଗତ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version