Site icon Odisha.com

ବିଷ୍ଣୁ ଖିଲାର: ବୃକ୍ଷ ରୋପଣ ଯାହାଙ୍କ ଜୀବନର ମୂଳମନ୍ତ୍ର

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୨୯(ଓଡ଼ିଶା ଡ଼ଟ୍ କମ୍) ସମଗ୍ର ଦେଶରେ ଗ୍ରୀଷ୍ମପ୍ରବାହ, ଅନାବୃଷ୍ଟି, ପରିବେଶ ପ୍ରଦୂଷଣ ଜନଜୀବନକୁ ପ୍ରଭାବିତ କରିଚାଲିଥିବା ବେଳେ ଭଦ୍ରକ ଜିଲ୍ଲାର ବିଷ୍ଣୁ ଖିଲାର ବୃକ୍ଷ ରୋପଣକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରିଛନ୍ତି ।

ବନ୍ତ ବ୍ଲକ ତୋଡ଼ଙ୍ଗା ଗ୍ରାମପଞ୍ଚାୟତର ଖିଲାରଙ୍କ ଏଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ଜନସାଧାରଣ ତଥା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି । ବିନା ସ୍ୱାର୍ଥରେ ସେ ଆଜି ପର୍ଯ୍ୟନ୍ତ ସରକାରୀ ଜମିରେ ଦୁଇ ହଜାରରୁ ଉର୍ଦ୍ଧ ଗଛ ଲଗାଇ ରକ୍ଷଣାବେକ୍ଷଣ କରିଆସୁଛନ୍ତି ।

ତାଙ୍କର ଏହି ଗୁଣ ପାଇଁ ସ୍ଥାନୀୟ ବନ୍ୟପ୍ରାଣୀ ବିଭାଗ ବିଶ୍ୱବ୍ୟାଙ୍କ ସହାୟତାରେ ଲଗାଯାଇଥିବା ରାସ୍ତା ପାଶ୍ୱର ବୃକ୍ଷ ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ତାଙ୍କୁ ହସ୍ତାନ୍ତର କରିଛି ।

ବିଶେଷକରି ବର,ନିମ୍ବ,ଆମ୍ବ,ଜାମୁ,କରଞ୍ଜ ଓ ଆକାଶୀ ଭଳି ଗଛ ରୋପଣ କ୍ଷେତ୍ରରେ ସେ କୌଣସି ନର୍ସରୀ କିମ୍ବା ସରକାରୀ ଅନୁଷ୍ଠାନ ସହାୟତା ଲୋଡ଼ିନାହାନ୍ତି । ନିଜ ବାଡ଼ିରେ ଛୋଟ ନର୍ସରୀଟିଏ କରି ବିଭିନ୍ନ ମଞ୍ଜି ସଂଗ୍ରହକରି ଚାରା ତିଆରି କରନ୍ତି ।

ତାହା ଲଗାଇବା ଉପଯୋଗୀ ହୋଇଗଲେ ରାସ୍ତାପାଶ୍ୱରେ, ଛକସ୍ଥାନ କିମ୍ବା ସରକାରୀ ପଡ଼ିଆ ଜମିରେ ଗାତଖୋଳି ଗୋବର ଖତ ଦେଇ ନିଜେ ଲଗାନ୍ତି । କେବଳ ଏତିକିରେ ତାଙ୍କ କାମ ସରେନାହିଁ ।

ଚାରାଗୁଡ଼ିକ କିଭଳି ବଞ୍ଚିବ ସେଥିପାଇଁ ବାଉଁଶ ବତା ଓ କଣିରେ ଘେରି ମୁଣ୍ଡୁଳା ନିର୍ମାଣ କରି ସେଗୁଡ଼ିକୁ ଆବଦ୍ଧ କରିଥାନ୍ତି । ମୁଖ୍ୟତଃ ବର୍ଷାଦିନରେ ବିଷ୍ଣୁ ଏହି କାର୍ଯ୍ୟ ହାତକୁ ନେଇଥାନ୍ତି ।

କିଛିିଦିନ ପରେ ଗଛମୂଳରେ ହୋଇଥିବା ଅନାବନା ଘାସବାଛି ସେଥିରେ ଅଣୁସାର ଓ ଗୋବର ଖତ ଦେବାସହ ପତ୍ର କାଣ୍ଡରେ ଗୋମୂତ୍ରରୁ ଏକପ୍ରକାର କୀଟନାଶକ ତିଆରି ସିଞ୍ଚନ କରିଥାନ୍ତି । ଖରାଦିନରେ ଟ୍ରଲିରେ ପାଣିନେଇ ଦିନ କୁ ଦୁଇଓଳି ସେ ଗଛମୂଳରେ ଢ଼ାଳିଥାନ୍ତି ।

ବିସ୍ମୟର କଥା ଆଜି ପର୍ଯ୍ୟନ୍ତ ଏହି ମହାନ କାର୍ଯ୍ୟ ପାଇଁ କେହି ତାଙ୍କୁ ସମ୍ନାନ କିମ୍ବା ଅଭ୍ୟର୍ଥନ କରିନାହାନ୍ତି । ଏକା ଏକା ନୀତିରେ ବିଶ୍ୱାସ କରୁଥିବା ବିଷ୍ଣୁ ପଛକୁ ନଅନାଇ ଏଭଳି ମହତ କାମକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଚାଲିଛନ୍ତି ।

ଏଭଳି ଏକ ଜନହିତକାର କାର୍ଯ୍ୟ ଦେଖି ହରିପୁର ଗ୍ରାମର ଯୁବ ସମାଜସେବୀ ତଥା ଯୋଗଗୁରୁ ସଞ୍ଜିବ ନାୟକ ତାଙ୍କ ସହ ହାତ ମିଳାଇ ସମ୍ନାନ ସହ ଅର୍ଥର ବନ୍ଦୋବସ୍ତ ମଧ୍ୟ କଲେ ।

କେବଳ ସଞ୍ଜିବ ନୁହଁନ୍ତି, ଭଦ୍ରକ ନେହେରୁ ଷ୍ଟାଡ଼ିୟମର କିଛି ଯୁବକ ମଧ୍ୟ ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ହାତ ବଢ଼ାଇଛନ୍ତି । ଏମାନେ ସମସ୍ତେ ମିଶି ଏବେ ଖିଲାରଙ୍କୁ ବୃକ୍ଷରୋପଣ କାର୍ଯ୍ୟରେ ସହାୟତା କରୁଛନ୍ତି ।

ଅମ୍ଳଜାନ ଗ୍ୟାସ ଆମକୁ ମାଗଣାରେ ମିଳିଯାଉଛି ସତ, କିନ୍ତୁ ଆମେ ଭଗବାନ ଓ ତାଙ୍କ ସୃଷ୍ଟି ପରିବେଶ ଉପରେ ଧାରୁଆ ହୋଇ ରହିଯାଉଛୁ । ତେଣୁ ସେମାନଙ୍କ ଠାରୁ ଋଣମୁକ୍ତ ହେବା ପାଇଁ ଆଜିଠାରୁ ଆମେ ବର୍ଷରେ ଗୋଟିଏ ଲେଖାଏଁ ଗଛ ଲଗାଇବା ନିତ୍ୟାନ୍ତ ଜରୁରୀ ବୋଲି ବିଷ୍ଣୁ ଖିଲାର କହିଛନ୍ତି ।

ଏକ ଗ୍ରାମୀଣ ପରିବେଶରେ ବିଷ୍ଣୁ ଯେଭଳି ଆଜିର ମନୁଷ୍ୟକୃତ ସନ୍ତୁଳିତ ପରିବେଶକୁ ତାଙ୍କର ବୃକ୍ଷରୋପଣ ରୂପକ ସଞ୍ଜିବନୀ ପ୍ରଦାନ କରିଚାଲିଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ଶିକ୍ଷଣୀୟ ନିଶ୍ଚୟ ।

ଓଡ଼ିଶା ଡ଼ଟ୍ କମ୍

Exit mobile version