Site icon Odisha.com

ପେଟ୍ରୋଲ ମୂଲ୍ୟବୃଦ୍ଧି ପ୍ରତିବାଦରେ ବନ୍ଦ,ଜୀବନଯାତ୍ରା ପ୍ରଭାବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମଇ ୩୧(ଓଡ଼ିଶା ଡ଼ଟ୍ କମ୍) ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଗୁରୁବାର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡ଼ାକରା ଯୋଗୁଁ ରାଜ୍ୟରେ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ବିକ୍ଷୋଭକାରୀମାନେ ଜାତୀୟ ରାଜପଥରେ ଟାୟାର ଜାଳି ଅବରୋଧ କରିଥିବାରୁ ଶତାଧିକ ଟ୍ରକ୍ ଏବଂ ଅନ୍ୟାନ୍ୟ ଯାନବାହାନ ମଧ୍ୟ ଅଟକି ରହିଛି । କଟକ ଏବଂ ଭୁବନେଶ୍ୱର ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଶାସକ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟରେ ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ଭାରତୀୟ ଜନତା ପାର୍ଟି ଏବଂ ବାମ ଦଳ ପକ୍ଷରୁ ମଧ୍ୟ ଅଲଗା ଅଲଗା ବନ୍ଦ ଡ଼ାକରା ଦିଆଯାଇଛି ।

ଭୁବନେଶ୍ୱରରେ ବିଜେଡ଼ି କର୍ମୀମାନେ କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଥାନରେ ଧାରଣା ଦେଇଛନ୍ତି । ଏନ୍ଡ଼ିଏ ପକ୍ଷରୁ ମଧ୍ୟ ଭାରତ ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ରେଳ ରୋକ କରିଛନ୍ତି ।

କଟକ ଭୁବନେଶ୍ୱର ବ୍ୟତୀତ ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ୱର, ସୁନ୍ଦରଗଡ଼, ବ୍ରହ୍ମପୁର ଓ ଅନ୍ୟାନ୍ୟ ସହରରେ ମଧ୍ୟ ଅନୂରୂପ ବନ୍ଦ ପାଳନ କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ଦୋକାନ ବଜାର, ଯାନବାହାନ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।

ରାଜଧାନୀ ଭୁବନେଶ୍ୱରରେ ପୋଲିସ କେତେକ ବିକ୍ଷୋଭକାରୀଙ୍କୁ ଗିରଫ କରିଛି । ତେବେ ବନ୍ଦ ପାଳନ ବେଳେ କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ପୋଲିସ କହିଛି ।

ସେହିପରି ବରଗଡ଼ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ମୋଟର ସାଇକେଲ ର୍ୟାଲି ସହ ସହରରେ ପିକେଟିଂ କରାଯାଇ ଦୋକାନ ବଜାର ସବୁ ବନ୍ଦ କରାଯାଇଛି ।

ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ କରାଯାଇଛି । ପରେ ଆନ୍ଦୋଳନକାରୀମାନେ ସ୍ଥାନୀୟ ଗାନ୍ଧି ଛକରେ ଟାୟର ଜାଳି ୬ନମ୍ବର ଜାତୀୟ ରାଜପଥକୁ କିଛି ସମୟ ଅବରୋଧ କରିଥିଲେ ।

ପେଟ୍ରୋଲ ଦରବୃଦ୍ଧି ଲୋକଙ୍କୁ ଏତେ ବାଧିଛି ଯେ ବ୍ୟବସାୟୀମାନେ ସ୍ୱତଃପ୍ରବୃତ ଭାବେ ଏହି ବନ୍ଦକୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ କରିେଇଥିବା ବଣିକ ସଂଘ ସଭାପତି ପ୍ରୀଦିପ ବେତା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version