Site icon Odisha.com

ମନ୍ତ୍ରୀ ସାରା ନାୟକ ମନ୍ତ୍ରୀମଣ୍ଡଳରୁ ବହିସ୍କୃତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୪(ଓଡ଼ିଶା ଡ଼ଟ୍ କମ୍) ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟ ମନ୍ତ୍ରୀମଣ୍ଡଳରୁ ସାରା ନାୟକଙ୍କୁ ବହିସ୍କାର କରିଛନ୍ତି ।

ଏସଂପର୍କରେ ସେ ରାଜ୍ୟପାଳଙ୍କୁ ସୁପାରିଶ କରିଥିବା ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି । ସାରାଙ୍କ କାର୍ଯ୍ୟକଳାପ ବିଷୟରେ ଅବଗତ ଥିଲି ଏବଂ ଏହା ଛାୟା ଦୁର୍ନୀତି ଠାରୁ ଅଧିକ ଗୁରୁତର ବୋଲି ସେ କହିଛନ୍ତି ।

ସଚିବାଳୟରେ ଦଳର ବରିଷ୍ଠ ମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବା ପରେ ନବୀନ ଏହି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିବା ପାଇଁ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ବାସଭବନରେ ମଙ୍ଗଳବାର ହୋଇଥିବା ବିଧାୟକଙ୍କ ବୈଠକରେ ସାାରଙ୍କ ପ୍ରମୁଖ ଭୂମିକା ଥିବା ଦଳୀୟ ବିଧାୟକ ଓ କର୍ମୀମାନେ ଅଭିଯୋଗ କରିଥିଲେ ।

ପ୍ରଥମେ କଂଗ୍ରେସ ଦଳରେ ଥିବା ସାରା ନବୀନଙ୍କ ଦ୍ୱିତୀୟ ଶାସନରେ ବିଜେଡ଼ି ଯୋଗ ଦେଇ ଗତ ଦୁଇଟି ନିର୍ବାଚନରେ ରାଉରକେଲା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ପରେ ୨୦୦୯-୧୧ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ହୋଇଥିଲେ । ୨୦୧୧ରେ ବିଭାଗ ପରିବର୍ତନ ସମୟରେ ତାଙ୍କୁ ନଗର ଉନ୍ନୟନ ସହ ଅବକାରୀ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା ।

ଗତ ଶୁକ୍ରବାର ନବୀନ ମନ୍ତ୍ରୀଣ୍ଡଳରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଞ୍ଜଳି ବେହେରା ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସଂଜୀବ ସାହୁଙ୍କୁ ବହିସ୍କାର କରିବା ସହ ବିଧାୟକ ପ୍ରଭାତ ବିଶ୍ୱାଳ, ବିଭୂତି ବଳବନ୍ତରାୟ ଏବଂ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କୁ ନିଲମ୍ବନ କରିଥିଲେ ।

ନଗର ଉନ୍ନୟନ ବିଭାଗ ମୁଖ୍ୟମନ୍ତ୍ରୀ ନିଜ ହାତରେ ରଖିଥିବା ବେଳେ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version