Site icon Odisha.com

ପର୍ଯ୍ୟଟନ ବିଭାଗର “ରଙ୍ଗବତୀ’ କାର୍ଯ୍ୟକ୍ରମ ନେଇ ପ୍ରତିକ୍ରିୟା

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ, ଜୁନ୍ ୬(ଓଡ଼ିଶା ଡ଼ଟ୍ କମ୍) ନିକଟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ‘ରଙ୍ଗବତୀ’ଶୀର୍ଷକ ପଶ୍ଚିମ ଓଡ଼ିଶାର ନୃତ୍ୟ ସଙ୍ଗୀତର କାର୍ଯ୍ୟକ୍ରମର ନାମକରଣକୁ ନେଇ ବରଗଡ଼ ଜିଲ୍ଳାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ଡ଼ାଲଖାଇ, ମାଇଲାଜଡ଼, ରସରକେଳି,ନଚନିଆଁ, ବଜନିଆଁ ଆଦି ବିଭିନ୍ନ ପାରମ୍ପାରିକ ଲୋକନୃତ୍ୟ ପ୍ରଦର୍ଶିତ କରାଯାଇଛି ।

ଫଳରେ ପଶ୍ଚିମ ଓଡ଼ିଶାର ସଂସ୍କୃତି ବିଷୟରେ ଧାରଣା ନଥିବା ପର୍ଯ୍ୟଟକ ମାନେ ସ୍ୱାଭାବିକ ରୂପେ ଏହି ଅଂଚଳର ଲୋକସଙ୍ଗୀତ ଓ ଲୋକନୃତ୍ୟର ସମାହାରକୁ “ରଙ୍ଗବତୀ’ରୂପେ ଗ୍ରହଣ କରିବାର ସମ୍ଭାବନା ରହିଛି, ଯାହା ଭବିଷ୍ୟତରେ ବିଭ୍ରାନ୍ତି ସୃଷ୍ଟି କରିବ ବୋଲି କଳାକାରମାନେ କହିଛନ୍ତି ।

ପଶ୍ଚିମ ଓଡ଼ିଶାର ଏହି ଲୋକ ସଙ୍ଗୀତ ଓ ନୃତ୍ୟର ସ୍ୱତନ୍ତ୍ରତା ରହିଛି । ଏହାର ପରିବେଷଣ ଶୈଳୀରେ ଭିନ୍ନତା ରହିବା ସହ ଡ଼ାଲଖାଇ ଆଦି ନୃତ୍ୟ ବର୍ଷର ନିଦ୍ଦିଷ୍ଟଦିନରେ ତଥା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେପରିବେଷିତ ହୋଇଥାଏ ।

ଲୋକ ସଙ୍ଗୀତ ଭିତରେ ଜିତେନ୍ଦ୍ରୀୟ ହରିପାଲ ଓ କ୍ରିଷ୍ଣା ପଟେଲଙ୍କ ଦ୍ୱାରାପରିବେଷିତ ‘ରଙ୍ଗବତୀ’ ଆର୍ନ୍ତଜାତିକ ସ୍ତରରେ ସୁଖ୍ୟାତ ଏକ ଜନପ୍ରିୟ କାର୍ଯ୍ୟକ୍ରମ ।

ତେବେ ଏହା ପଶ୍ଚିମ ଓଡ଼ିଶାର ଲୋକ ସଙ୍ଗୀତ ଜଗତର ଏକ କ୍ଷୁଦ୍ର ଅଂଶ ମାତ୍ର । ଏପରି ସ୍ଥଳେ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଦ୍ୱାରାସାମଗ୍ରିକ ରୂପେ ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ସଙ୍ଗୀତର କାର୍ଯ୍ୟକ୍ରମକୁ “ରଙ୍ଗବତୀ’ ନାମରେ ପ୍ରଚାରିତ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ସେମାନେ କହିଛନ୍ତି ।

ରଙ୍ଗବତୀ ଗୀତକୁ ସରକାର ଯେତେ ପ୍ରୋତ୍ସାହିତ କରିବେ ତାହାକୁ ସ୍ୱାଗତ କରାଯିବ ମାତ୍ର ସାମଗ୍ରିକ ଲୋକସଙ୍ଗୀତ ଓ ନୃତ୍ୟକୁ ରଙ୍ଗବତୀ ରୂପେ ନାମିତ କରାଯିବାର ପ୍ରୟାଶକୁ ଗ୍ରହଣ କରାଯାଇ ପାରିବ ନାହିଁ , ପଶ୍ଚିମ ଓଡ଼ିଶାର କଳାକାର ଓ ସଂସ୍କୃତି ପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି ।

ଏହା ସହ ସେମାନେ ଲିଖିତ ପ୍ରତିକ୍ରିୟା ରାଜ୍ୟ ସଙ୍ଗୀତ ନାଟକ ଏକାଡ଼େମୀ ସଭାପତି ଶରତ ଚନ୍ଦ୍ର ପୂଜାରୀଙ୍କ ନିକଟକୁ ପଠାଇଛନ୍ତି ।

ଏହି କାର୍ଯ୍ୟକ୍ରମର ନାମକରଣ ଯଥାର୍ଥତା ସଂପର୍କରେ ରାଜ୍ୟ ସରକାର ତାଙ୍କର ସ୍ପଷ୍ଟ ମତାମତ ଉପସ୍ଥାପିତ କରିବା ସହ ବାସ୍ତବରେ ଯି ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିର ବିକାଶ ଚାହୁଛନ୍ତି ତେବେ ନିର୍ଦ୍ଦିଷ୍ଟ ଲୋକନୃତ୍ୟ ଓ ଲୋକଗୀତର ପୃଷ୍ଠପୋଷକତା କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି ।

ଏତଦ୍ୱାରାବାସ୍ତବରେ ପଶ୍ଚିମ ଓଡ଼ିଶାର ଲୋକ କଳାର ବିକାଶ ସାଙ୍ଗକୁ ପଶ୍ଚିମ ଓଡ଼ିଶାର କଳାକାର ମାନେ ମଧ୍ୟ ଲୋକ ଲୋଚନକୁ ଆସିପାରିବେ ବୋଲି ସେମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version