Site icon Odisha.com

ହାଜତ ମୃତ୍ୟୁ ଘଟଣାରେ ଦୁଇ ଏଏସ୍ଆଇ ନିଲମ୍ବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୭(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସହିଦ ନଗର ଥାନା ହାଜତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାରେ ଉକ୍ତ ଥାନାର ଦୁଇ ଜଣ ଏଏସ୍ଆଇଙ୍କୁ ନିଲମ୍ବିତ କରାଯାଇଛି ।

କର୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ବୁଧବାର ଡ଼ିସିପି ଉଭୟଙ୍କୁ ନିଲମ୍ବନ କରିଥିବା କହିଛନ୍ତି । ଗିରଫ ହୋଇଥିବା ନକଲି ସ୍ପେଶାଲ ସ୍କାର୍ଡ ଇନ୍ସପେକ୍ଟର କୁଲୀପ ମହାପାତ୍ରଙ୍କ ମଙ୍ଗଳବାର ସହି୍ନଗର ଥାନାରେ ମୃତ୍ୟୁ ହୋଇଥିଲା ।

ନିଜକୁ ସ୍ପେଶାଲ ସ୍କାର୍ଡ ଇନ୍ସପେକ୍ଟର କହି ମଙ୍ଗଳବାର ସଂପୃକ୍ତ ଯୁବକ ଆର୍ଟିଓ ଅଫିସ୍ ସମ୍ମୁଖରୁ କେତେକ ଲୋକଙ୍କ ଠାରୁ ପଇସା ମଗୁଥିବା ବେଳେ ଲୋକେ ତାଙ୍କୁ ମାଡ଼ମାରି ପୋଲିସକୁ ହସ୍ତାନ୍ତର କରିଥିଲେ ।

ଲୋକଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ସଂପୃକ୍ତ ଯୁବକକୁ ପୋଲିସ ସହିଦ ନଗର ଥାନା ହାଜତରେ ରଖିଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

କ୍ୟାପିଟାଲ ହସ୍ପିଟାଲକୁ ନେବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଥିବା ବେଳେ ଥାନାରେ ତାଙ୍କୁ ମାଡ଼ ମରାଯାଇଥିବାରୁ ସେ ମୃତ୍ୟୁବରଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ପୋଲିସର ମାନବାଧିକାର ସେଲ୍ ଘଟଣାର ତଦନ୍ତ କରିବ ଏବଂ ନ୍ୟାୟିକ ତଦନ୍ତ ପାଇଁ ଭୁବନେଶ୍ୱର ଏସ୍ଡିଜେଏମ୍ଙ୍କୁ ନିବେଦନ କରିଥିବା ଡ଼ିସିପି କହିଛନ୍ତି ।

ତେବେ ବିଭିନ୍ନ ଗଣମାଧ୍ୟମରେ ଏହି ପ୍ରକାଶିତ ହେବାପରେ ଏହାକୁ ଆଧାର କରି ରାଜ୍ୟ ମାନବାଧିକାରକମିଶନ୍ ନିଜ ପକ୍ଷରୁ ଏକ ମାମଲା ରୁଜୁ କରିଛନ୍ତି । ୭ଦିନ ମଧ୍ୟରେ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କମିଶନ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version