Site icon Odisha.com

ଜବରଦଖଲ ଉଚ୍ଛେଦ ବେଳେ ଗଣ୍ଡଗୋଳ, ୨୦ ଆହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜୁନ୍ ୧୩(ଓଡ଼ିଶା ଡ଼ଟ୍ କମ୍) କଟକ ସିଡ଼ିଏ ଅନ୍ତର୍ଗତ ପେଟାନାଳ ଅଞ୍ଚଳରେ ଜବରଦଖଲ ଉଚ୍ଛେଦର ଦ୍ୱିତୀୟ ଦିନରେ ବୁଧବାର ପୋଲିସ ଓ ବସ୍ତି ବାସିନ୍ଦା ମୁହାଁମୁହିଁ ହେବାରୁ ୨୦ ଜଣ ଆହତ ହୋଇଛନ୍ତି ।

ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ସହାୟତାରେ ସକାଳୁ ଉଚ୍ଛେଦ କାର୍ଯ୍ୟ କରାଯିବା ବେଳେ ନୂଆସାହି ବସ୍ତି ନିକଟରେ ଶତାଧିକ ମହିଳା ଓ ପୁରୁଷ ଏହାର ପ୍ରତିବାଦ କରି ବୁଲ୍ଡୋଜର ନିକଟରେ ଶୋଇପଡ଼ିଥିଲେ ।

ଫଳରେ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା । ପୋଲିସ ଜନସାଧାରଣଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ।

ଅନ୍ୟପକ୍ଷରେ ଜବରଖଲକାରୀଙ୍କ ପକ୍ଷରୁ ଢ଼େଲା ପଥର ମାଡ଼ କରାଯାଇଥିଲା । ତେବେ ପୋଲିସର
କାର୍ଯ୍ୟାନୁଷ୍ଠାନ ପରେ ଜନସାଧାରଣ ଘଟଣାସ୍ଥଳରୁ ପଳାଇଥିଲେ । ଜନସାଧାରଣଙ୍କ ଢ଼େଲା ମାଡ଼ରେ ଦୁଇ ପୋଲିସ ଆହତ ହୋଇଥିବା ବେଳେ ପୋଲିସ ମାଡ଼ରେ ୨୦ ଜଣ ଲୋକ ଆହତ ହୋଇଛନ୍ତି ।

ଆହତମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ଡ଼ାକ୍ତରଖାନାକୁ ପଠାଯାଇଛି । ପରିସ୍ଥିତି ନିୟନ୍ତ୍ରଣାଧିନ ହେବା ପରେ ଉଚ୍ଛେଦ କାର୍ଯ୍ୟ ପରେ ପୁଣି ଆରମ୍ଭ ହୋଇଥିଲା । ଘଟଣାସ୍ଥଳରେ ଦଶ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଆସନ୍ତା ସୋମବାରଠାରୁ ପୁଣି ପେଟାନାଳ ଅଞ୍ଚଳରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version