Site icon Odisha.com

ନୟାଗଡ଼: ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ପିଟିପିଟି ହତ୍ୟା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୟାଗଡ଼, ଜୁନ୍ ୧୩(ଓଡ଼ିଶା ଡ଼ଟ୍ କମ୍) ନୟାଗଡ଼ ଜିଲ୍ଲା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଗୁରୁବାରୀ କଅଁରଙ୍କୁ ଦୁର୍ବୃତମାନେ ପିଟିପିଟି ହତ୍ୟା କରିଥିବା ପୋଲିସ କହିଛି ।

ଦୁବୃତମାନେ ଏକ ଭ୍ୟାନ୍ରେ ଆସି ସଂଘବଦ୍ଧ ଭାବେ ତାଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ।ଦିନ ଦ୍ୱିପହରରେ ଏଭଳି ହତ୍ୟାକାଣ୍ଡ ଘଟିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଯାଇଛନ୍ତି ।

ବର୍ତମାନର ଫତେଗଡ଼ ସମିତି ସଭ୍ୟ କଅଁର ଭାପୁର ବଜାରରୁ ତାଙ୍କ ଗାଡ଼ିରେ ନିଜ ଗ୍ରାମ ଫତେଗଡ଼ ଫେରୁଥିବା ବେଳେ କେତେକ ଦୁର୍ବୃତ ଏକ ଗାଡ଼ିରେ ପୂର୍ବରୁ ଛକି ରହିଥିଲେ ।

ସେମାନେ କହଁରଙ୍କ ଗାଡ଼ିକୁ ଆଗପଟୁ ଅଟକାଇଥିଲେ । ଭ୍ୟାନ୍ଟି ଆଗକୁ ଆସିଯିବାରୁ ସେ ତଳେ ପଡ଼ିଯାଇଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଦୁର୍ବୃତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇପିଟିଥିଲେ ।

ତାଙ୍କ ପଛରେ ଯାଉଥିବା ଅନ୍ୟ ଏକ ବ୍ୟକ୍ତି ମଧ୍ୟ ସେମାନଙ୍କ ଆକ୍ରମଣରେ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଗୁରୁବାରୀଙ୍କୁ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୂର୍ବ ରାଜନୈତିକ ଶତ୍ରୁତା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିବା ଗୁରୁବାରୀଙ୍କ ସମର୍ଥକମାନେ କହିଛନ୍ତି । ହତ୍ୟା ପ୍ରତିବାଦରେ ଲୋକମାନେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version