Site icon Odisha.com

ବରଗଡ଼: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ବହୁ ପଦବୀ ଖାଲି

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜୁନ୍ ୧୩(ଓଡ଼ିଶା ଡ଼ଟ୍ କମ୍) ୧୪ ଲକ୍ଷରୁ ଉର୍ଦ୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ବରଗଡ଼ ଜିଲ୍ଳାରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଉକ୍ତ ବିଭାଗରେ ବହୁ ପଦବୀ ଖାଲି ପଡ଼ିଛି ।

ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ବ୍ୟତୀତ ୧୨ଟି ବ୍ଳକରେ ୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବରପାଲିରେ ଏକମାତ୍ର ବିପିଏଚ୍ସି, ଛଅଟି ପିଏଚ୍ସି, ୪୪ଟି ନ୍ୟୁ ପିଏଚ୍ସି ଏବଂ ୨୦୪ଟି ଏଚ୍ଏସ୍ସି କାର୍ଯ୍ୟ କରୁଛି ।

ସରକାରଙ୍କ ଦ୍ୱାରା ମଞ୍ଜୁରୀ ପ୍ରାପ୍ତ ୨୮ଟି ବିଶେଷଜ୍ଞ ପଦବୀ ମଧ୍ୟରୁ ୬ଟି ପଦବୀ ଏପର୍ଯ୍ୟନ୍ତ ପୂରଣ ହୋଇପାରି ନଥିବା ବେଳେ ୧୭ଟି ମେଡ଼ିକାଲ ଅଫିସର ପଦବୀ ଖାଲି ପଡ଼ିଛି ।

ମଞ୍ଜୁରୀପ୍ରାପ୍ତ ୪୧ଟି ଷ୍ଟାଫ ନର୍ସ ମଧ୍ୟରୁ ୯ ଜଣ ଷ୍ଟାଫ ନର୍ସ, ୬ ଜଣ ବିଇଇ ପଦବୀ ଖାଲି ପଡ଼ିଛି । ମଞ୍ଜୁରୀପ୍ରାପ୍ତ ୫୭ଜଣ ପୁରୁଷ ସୁପରଭାଇଜର ଓ ୪୦ଟି ମହିଲା ସୁପରଭାଇଜର ପଦବୀରୁ ଯଥାକ୍ରମେ ମଧ୍ୟରୁ ୪୫ଟି ପୁରୁଷ ଓ ୧୧ଟି ମହିଳା ସୁପରଭାଇଜର ପଦବୀ ଖାଲି ପଡ଼ିଛି ।

ସେହିଭଳି ୨୩ଟି ପୁରୁଷ ଓ ୧୫ଟି ମହିଳା ଏମ.ପି.ଏଚ.ଡ଼ବ୍ଳୁ , ୮ଟି ଲେବ ଟେକନିସିଆନ, ୧୮ଟି ପି.ଏମ.ଡ଼ବ୍ଳୁ ଓ ୮ଟି ଡ଼୍ରାଇଭର ପଦବୀ ଖାଲି ପଡ଼ିଛି ।

୧୯୯୩ରେ ବରଗଡ଼ ସ୍ୱତନ୍ତ୍ର ଜିଲ୍ଳା ହେବାପରେ ମଧ୍ୟ ପ୍ରାୟ ଏକ ଦଶନ୍ଧୀ ଧରି ଡ଼ାକ୍ତରଖାନାର ଉନ୍ନତି ହୋଇନଥିଲା ଏବଂ ବେଡ଼ ସଂଖ୍ୟା ବୃଦ୍ଧି ହୋଇନଥିଲା । ଡ଼ାକ୍ତରଖାନାର ବିକାଶ ନେଇ କୌଣସି ମାଷ୍ଟର ପ୍ଳାନ ପ୍ରସ୍ତୁତ ହୋଇ ନଥିବାରୁ ବିଭିନ୍ନ ସ୍ଥାନରେ କୋଠାବାଡ଼ି ନିର୍ମାଣ କରାଯାଇ ଖାନାପୂର୍ତି କରାଯାଇଥିଲା ।

ଏପରିକି କୋଠା ଗୁଡ଼ିକର ମାନ ନେଇ ତତ୍କାଳୀନ ବରଗଡ଼ ସାଂସ ତଥା ବର୍ତମାନର ସ୍ୱାସ୍ଥ୍ୟ ମନ୍ତ୍ରୀପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ ଉଠାଇଥିଲେ । ମାତ୍ର ତତ୍କାଳୀନ ରାଜ୍ୟ ସରକାର ତାହାକୁ ଗୁରୁତ୍ୱ ଦେଇ ନଥିଲେ ।

ବିଗତଦିନରେ ଜିଲ୍ଳାରେ ସ୍ୱାଇନ ଫ୍ଲୁ ଦେଖାଯିବା ସହ ଆଠଜଣ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ବରଗଡ଼ଡ଼ାକ୍ତରଖାନାକୁ ଏକ ଭେଣ୍ଟିଲେଟର ମେସିନ ଯୋଗାଇ ଦେବାର ଦାବି ଜୋର ଧରିଥିଲା । ଜନସାଧାରଣଙ୍କ ଦାବି ପରେ ସ୍ୱାସ୍ଥ୍ୟ ବିଭାଗ ବରଗଡ଼ ପାଇଁ ଏକ ଭେନ୍ଟିଲେଟର ମେସିନ ଯୋଗାଇ ଦେଇଛି ।

ମେସିନଟି ସମ୍ବଲପୁରରେ ପଡ଼ି ରହିଥିଲେ ମଧ୍ୟ ବରଗଡ଼ ଡ଼ାକ୍ତରଖାନା କର୍ତୃପକ୍ଷ ଏହାକୁ ବରଗଡ଼କୁ ଆଣିବାକୁ ଚେଷ୍ଟା କରୁ ନାହାନ୍ତି । ମେସିନ ପାଇଁ ଆବଶ୍ୟକୀୟ କୋଠରୀର ଅଭାବ ରହିଥିବା ବେଳେ ଏହାକୁ ଚଲାଇବା ପାଇଁ ଦକ୍ଷ ଲୋକଙ୍କର ମଧ୍ୟ ଅଭାବ ରହିଛି ବୋଲି ସେ କହିଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରାୟତଃ ସବୁ ଡ଼ାକ୍ତର ବରଗଡ଼ ସହରର ସ୍ଥାୟୀ ବାସିନ୍ଦା ଏବଂ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼କ୍ଟର ଉମେଶ ଚନ୍ଦ୍ର ତ୍ରିପାଠୀ ମଧ୍ୟ ବରଗଡ଼ ସହରର ସ୍ଥାୟୀ ବାସିନ୍ଦା ।

ଏହା ସତ୍ୱେ ମଧ୍ୟ ମୁଖ୍ୟ ସରକାରୀ ଡ଼ାକ୍ତରଖାନାରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇ ନପାରିବା ତଥା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୁପାରିସକୁ କାର୍ଯ୍ୟକାରୀ କରାଯାଇ ନପାରିବା ଆଶ୍ଚର୍ଯ୍ୟର ବିଷୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ଡ଼ାକ୍ତରଖାନାରେ ସ୍ଥାନୀୟ ଡ଼ାକ୍ତରଙ୍କ ନିଯୁକ୍ତି ଦ୍ୱାରାଗୁଣାତ୍ମକ ତଥା ଆତ୍ମୀୟ ଡ଼ାକ୍ତରୀ ସେବା ମିଳି ପାରିବ । ମାତ୍ର ଅତୀତ ଅଭିଜ୍ଞତାକୁ ଅନୁଧ୍ୟାନ କଲେ, ଯେତେବେଲେ ସ୍ଥାନୀୟ ଡ଼ାକ୍ତରଙ୍କ ଆଧିପତ୍ୟ ଖୋଜାଯାଇଛି ସେତେବେଳେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାରେ ବ୍ୟତିକ୍ରମ ଦେଖାଯାଇଛି ।

ସେମାନେ ସରକାରୀ ଡ଼ାକ୍ତରଖାନା ପରିବର୍ତେ ଘରୋଇ ଚିକିତ୍ସାରେ ଅଧିକ ମନନିବେଶ କରୁଥିବାରୁଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଦୁଇ ପୂର୍ବତନ ନଗରପାଳ ଗଣେଶରାମ ଅଗ୍ରୱାଲ ଏବଂ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

ଅତୀତରେ ଏହି କାରଣରୁ ପରିଶେଷରେ ସେମାନଙ୍କୁ ବାହାର କରିବା ପାଇଁ ବହୁ ଜନ ଆନ୍ଦୋଳନ ଦେଖାଯାଇଛି । ଏଣୁ ଏଭଳି ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଡ଼ାକ୍ତରମାନେ ସେମାନଙ୍କର ମନୋବୃତିରେ ପରିବର୍ତନ ଆଣି ବରଗଡ଼ ସରକାରୀ ଡ଼ାକ୍ତରଖାନାକୁ ଏକ ଆଦର୍ଶ ଡ଼ାକ୍ତରଖାନାରେ ପରିଣତ କରିବା ପାଇଁ ପଦକ୍ଷେପ ନେବାକୁ ସେମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version