Site icon Odisha.com

ଲକ୍ଷାଧିକ ଭକ୍ତଙ୍କ ନବଯୌବନ ଦର୍ଶନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ, ଜୁନ୍ ୧୯ (ଓଡିଶା ଡଟ୍ କମ୍) ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନବଯୌବନ ଦର୍ଶନ ଲାଗି ମଙ୍ଗଳବାର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ଶ୍ରୀଜିଉମାନେ ଦେବସ୍ନାନ ପୂର୍ଣ୍ଣିମାଠାରୁ ଅସୁସ୍ଥ ହୋଇ ଚଉଦିନ ଅଣସର ଘରେ ରହିବାପରେ ନବଯୌବନ ପାଇ ରତ୍ନ ସିଂହସନରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି ।

ଶ୍ରୀବିଗ୍ରହମାନଙ୍କର ପରିମାଣିକ ଦର୍ଶନ ପରେ ମଙ୍ଗଳ ଆଳତୀ, ମଇଲମ ଓ ଦଶ ଅବତାର ଦିଅଁ ବାହୁଡା ବିଜେ କରିବା ପରେ ନବଯୌବନ ଦର୍ଶନ ହୋଇଛି । ପରିମାଣିକ ଦର୍ଶନ ଶେଷ ହେବା ପରେ ଶ୍ରୀଜିଉମାନଙ୍କ ନବଯୌବନ ଦର୍ଶନ ପାଇଁ ସାହାଣ ମେଲା କରାଯାଇଛିା ।

ସାହାଣ ମେଲା ପରେ ଦଇତାପତି ସର୍ବାଙ୍ଗ ବନ୍ଦାପନା କରିଛନ୍ତି । ନବଯୌବନ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଟାଉନ୍ ଥାନା ଠାରୁ ସମସ୍ତ ଦୁଇ ଚକିଆ ଯାନକୁ ବନ୍ଦ କରାଯାଇଛି ।

ପରିମାଣିକ ଦର୍ଶନ ପାଇଁ ସାଧାରଣ ଭକ୍ତ ଦକ୍ଷିଣଦ୍ଵାର ଦେଇ ପ୍ରବେଶ କରିଥିବା ବେଳେ ଭିଆଇପି ମାନଙ୍କ ପାଇଁ ପଶ୍ଚିମ ଦ୍ଵାରର ବ୍ୟବସ୍ଥା କରାଯାଇଛି ।

ତେବେ ରଥଯାତ୍ରା ପାଇଁ ପୁରୀ ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ଦେଶ ବିଦେଶ ତଥା ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଭକ୍ତ ଆସି ଏଠାରେ ପହଞ୍ଚିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version