Site icon Odisha.com

ଭଦ୍ରକ: ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ବନ୍ଧା ବିଦେଶୀ ଭକ୍ତ ଜୁଲିୟାନ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜୁନ୍ ୨୨(ଓଡ଼ିଶା ଡ଼ଟ୍ କମ୍) ଯୁଗେ ଯୁଗେ ଭଗବାନ ଭକ୍ତର ବୋଲି ସବୁ ଧର୍ମରେ ପ୍ରମାଣିତ ହୋଇଆସିଥିବା ବେଳେ ସୁଦୁର ଆମେରିକାର ଭକ୍ତ ଜୁଲିଆନ୍ ପାର୍କର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ବନ୍ଧା ହୋଇଛନ୍ତି ।

ଆମେରିକାର ଲସ ଏଞ୍ଜେଲସର ବାସିନ୍ଦା ପାର୍କରଙ୍କ ପିତା ଜଣେ ପ୍ରତିିଷ୍ଠିତ କ୍ୟାନସର ଡ଼ାକ୍ତର । ହିନ୍ଦୁ ଜାତିର ସନାତନ ଧର୍ମ ଦ୍ୱାରା ଦିକ୍ଷିତ ହେବାପରେ ତାଙ୍କର ପିତା ସମ୍ବିଦାନନ୍ଦ ଦାସ ନାମରେ ପରିଚିତ ହୋଇଥିଲେ ।

ଇତି ମଧ୍ୟରେ ପାର୍କର ପିତାଙ୍କ ସଂସ୍ପର୍ଶରେ ଆସି ଲସ ଏଞ୍ଜେଲସ୍ ର ଥିବା ଇସ୍କନ ପୀଠରେ ହିନ୍ଦୁ ଶାସ୍ତ୍ରର ସମସ୍ତ ତତ୍ୱ ପାଠ କରି ଜଗତର ନାଥ ଜଗନ୍ନାଥଙ୍କ ଜଣେ ଭକ୍ତ ପାଲଟି ଯାଇଥିଲେ । ସେ ସ୍ୱଚକ୍ଷୁରେ ଜଗନ୍ନାଥଙ୍କୁ ଦେଖିବାର ସୌଭାଗ୍ୟ ପାଇନଥିଲେ ମଧ୍ୟ ଦିନେ ନା ଦିନେ ତାଙ୍କୁ ସାକ୍ଷାତ କରିବାର ଆଶା ପୋଷଣ କରିଥିଲେ ।

ଏହା ମଧ୍ୟରେ ସେ ଗ୍ରହଣ କରିଥିବା ସନାତନ ଧର୍ମର ଜଣେ ବିଶ୍ୱ ପ୍ରଚାରକ ଆତ୍ମତତ୍ୱ ଦାସଙ୍କ ସହ ତାଙ୍କ ପିତାଙ୍କର ସମ୍ପର୍କ ନିବିଡ଼ି ହୋଇଥିଲା । ଆତ୍ମତତ୍ୱ ଦାସ ଏବଂ ତାଙ୍କ ପତ୍ନୀ ମାଳିନୀଦେବୀ ଦାସୀ ଦୀର୍ଘ ୨୩ବର୍ଷ ତଳେ ତାଙ୍କ ଘରକୁ ଯାଇଥିବାବେଳେ ୧୪ବର୍ଷର ଜୁଲିୟାନଙ୍କୁ ଦେଖି ବେଶ ପ୍ରଭାବିତ ହୋଇଥିଲେ ।

ସେମାନେ ନିଃସନ୍ତାନ ଥିବାରୁ ତାଙ୍କୁ ପାଳିତ ପୁତ୍ରଭାବେ ଗ୍ରହଣକରି ଭାରତକୁ ନେଇଆସିଲେ । ସେ ଭାରତବର୍ଷର ଚେନ୍ନାଇ, ମୁମ୍ବାଇ ଭଳି ବହୁ ସ୍ଥାନରେ ପାଳିିତ ପିତା-ମାତାଙ୍କ ସହ ଧର୍ମ ପ୍ରଚାରରେ ବ୍ୟସ୍ତ ଥାଇ କର୍ଣ୍ଣାଟକର ମେଲ୍କୋଟେ ଆଶ୍ରମରେ ହିନ୍ଦୁ ଶାସ୍ତ୍ର ଓ ସଂସ୍କୃତ ସହ ଭଗବତ ଗୀତାକୁ ପ୍ରାଞ୍ଜଳଭାବେ ଅଧ୍ୟୟନ କରିଥିଲେ ।

ଜୁଲିୟାନ ଭାରତକୁ ଆସିବା ପରେ ନିଜର ନାମ ବଦଳାଇ ଜାହ୍ନବା ନିତାଇ ଦାସ ରଖିଥିଲେ । ପିତା-ମାତାଙ୍କ ସହ ନିଜର ଆକାଂକ୍ଷିତ ବେତା ଜଗନ୍ନାଥଙ୍କୁ ଦର୍ଶନ କରିବାପାଇଁ ପୁରୀକୁ ଆସି ସେହି ୧୪ବର୍ଷ ବୟସରେ ବିଦେଶୀ ଥିବାରୁ ଦର୍ଶନ ନପାଇ ଲାଞ୍ଛିତ ହୋଇଥିଲେ ।

ସେହିଦିନରୁ ସେ ପ୍ରତିଜ୍ଞା କରିଥିଲେ, ‘ଯେଉଁ ଭଗବତ ଗୀତା ଅନୁସାରେ ଭଗବାନ ଯୁଗେ ଯୁଗେ ଭକ୍ତର ଏବଂ ତାଙ୍କ ପାଖରେ ଜାତି ନାହିଁ, ସେଭଳି ବିଶ୍ୱ ନିୟନ୍ତା ଜଗନ୍ନାଥଙ୍କ ପାଖରେ ଏତେ କଟକଣା କାହିଁକି । ତାଙ୍କ ଭାଷାରେ ଯଦି ଜଗନ୍ନାଥଙ୍କୁ ଜଗତର ନାଥ ବୋଲି ସମସ୍ତେ କହୁଛନ୍ତି, ତେବେ ତାଙ୍କ ସିଂହଦ୍ଵାର ତାଙ୍କଭଳି ଭକ୍ତଙ୍କ ପାଇଁ ମନା କାହିଁକି ।

ତାଙ୍କର ସେହଦିନର ପ୍ରତିଜ୍ଞାକୁ ସେ ଭଦ୍ରକର କୁଆଁସ ଗ୍ରାମରେ ପୂରଣ କରିଛନ୍ତି । ଏହା ଭିତରେ ସେ କୁଆଁସ ଗ୍ରାମର ରାଧାକାନ୍ତ ଦାସଙ୍କ କନ୍ୟା ମୀରା ଦେବୀଙ୍କୁ ୧୩ବର୍ଷ ତଳେ ବିବାହ କରିଛନ୍ତି । ଏହି ଗ୍ରାମରେ ପ୍ରତିଷ୍ଠା କରିଛନ୍ତି, ଭକ୍ତି ବେଦାନ୍ତ ଆଶ୍ରମ ।

ଯେଉଁଠାରେ ସେ ୩୫ଫୁଟ୍ ଉଚ୍ଚର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ପୁରୀ ଜଗନ୍ନାଥ ମୂର୍ତି କାରିଗରଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତି ନିର୍ମାଣ କରି ୨୦୦୫ ମଇ ୨୨ ତାରିଖଦିନ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ମୂର୍ତି ଗୁଡ଼ିକ ନିମ୍ବ କାଠରେ ନିର୍ମାଣ ହୋଇଥିବା ବେଳେ ଶ୍ରୀଜଗନ୍ନାଥଙ୍କ ଉଚ୍ଚତା ୧୬ଫୁଟ୍, ବଳଭଦ୍ରଙ୍କ ୧୫ଫୁଟ୍ ଏବଂ ଦେବୀ ଶୁଭଦ୍ରାଙ୍କ ଉଚ୍ଚତା ୭ଫୁଟ୍ ରହିଛି ।

ଏହି ମନ୍ଦିରକୁ ସବୁ ଧର୍ମର ଲୋକ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ତାଙ୍କଭଳି ପୁରୀଯାଇ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ବହୁ ଭକ୍ତ ଏବେ ଏହି ମନ୍ଦିରରେ ବେଶ୍ ଆବେଗର ସହ ପୂଜାର୍ଚ୍ଚନା କରୁଛନ୍ତି ।

ଗୁରୁବାର ପବିତ୍ର ରଥଯାତ୍ରାରେ ହଜାର ହଜାର ଭକ୍ତ ଏହି ପୀଠରେ ଚତୁର୍ଦ୍ଧା ମୂର୍ତିଙ୍କୁ ଦର୍ଶନ କରି ପ୍ରସାଦ ସେବନରେ ଅପ୍ୟାୟିତ ହୋଇଛନ୍ତି । ବିଶେଷକରି ଏହି ଚତୁର୍ଦ୍ଧାମୂର୍ତିଙ୍କର ରଥଯାତ୍ରା ହେଉନଥିବାରୁ ଚଳିତବର୍ଷ ସେମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଛି ।

ବିଶ୍ୱପ୍ରସିଦ୍ଧ ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ରର ଅଧିଶ୍ୱର ଶ୍ରୀଜଗନ୍ନାଥ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବାପାଇଁ ବର୍ଷକରେ ଥରେ ରଥାରୁଢ଼ ହୋଇ ବଡ଼ଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କ ସହ ବଡ଼ଦାଣ୍ଡକୁ ଓହ୍ଲାଇଥାନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version