Site icon Odisha.com

ଆତଙ୍କବାଦୀ ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୨୭(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ ଆତଙ୍କବାଦୀ ସଂଗଠନ ଲଶ୍କର ଇ ତୋଇବା ଆକ୍ରମଣ କରିବାକୁ ଯୋଜନା କରୁଥିବା ଖବର ପାଇବା ପରେ ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଆକ୍ରମଣ ଆଶଂକା ଏକ ଗମ୍ଭୀର ବିଷୟ । ଏହାର ମୁକାବିଲା ପାଇଁ ପୋଲିସ ପ୍ରସ୍ତୁତ ରହିଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ସମ୍ଭାବ୍ୟ ଆକ୍ରମଣର ମୁକାବିଲା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେବାପରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ରଥଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବାରୁ ଏବଂ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ବିଭିନ୍ନ ବସଷ୍ଟାଣ୍ଡ, ରେଳଷ୍ଟେସନ ଏବଂ ଜନଗହଳି ସ୍ଥାନରେ ଯାତ୍ରୀ ମାନଙ୍କୁ ଯାଞ୍ଚ କରାଯାଉଛି । କୌଣସି ସନ୍ଦିଗ୍ଧ ବ୍ୟକ୍ତି ନଜରକୁ ଆସିଲେ ପୋଲିସକୁ ସୂଚନା ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ପୁରୀ ରଥଯାତ୍ରା ଏବଂ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟି ଉପରେ ଆତଙ୍କବାଦୀ ଆକ୍ରମଣ କରିବାର ସମ୍ଭାବନା ରହିଛି ବୋଲି ଆସାମ ପୋଲିସ ମହାନିର୍ଦ୍ଦେଶକ ମଙ୍ଗଳବାର କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version