Site icon Odisha.com

ତୈଳ ବିଶୋଧନାଗାରରେ ସୁରକ୍ଷାକର୍ମୀ-ଶ୍ରମିକ ସଂଘର୍ଷ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜୁନ୍ ୩୦(ଓଡ଼ିଶା ଡ଼ଟ୍ କମ୍) ପାରାଦ୍ଵୀପ ସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନ୍ ତୈଳ ବିଶୋଧନାଗାରରେ ଶନିବାର ସିଆଇଏସ୍ଏଫ୍ ସୁରକ୍ଷା କର୍ମୀ ଏବଂ ଶ୍ରମିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଏଥିରେ କେତେକ ଶ୍ରମିକ ଆହତ ହୋଇଛନ୍ତି ।

ଆକ୍ରମଣକାରୀ ସୁରକ୍ଷା କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶ୍ରମିକମାନେ ବିଶୋଧନାଗାର ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହ ସେଠାରେ ଭଙ୍ଗାରୁଜା କରିଛନ୍ତି ।

ବିଶୋଧନାଗାରକୁ କୌଣସି ଶ୍ରମିକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବା ବେଳେ ତ୍ରିଲୋଚନପୁର ଗ୍ରାମର ଜୟଦେବ ନାୟକ ମିଥ୍ୟା ପ୍ରମାଣପତ୍ର ଦେଖାଇ ଭିତରକୁ ପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀ ତାଙ୍କୁ ପ୍ରବେଶ କରାଇ ଦେଇନଥିଲେ ।

ପରେ ସଂପୃକ୍ତ ଶ୍ରମିକଙ୍କୁ ସୁରକ୍ଷାକର୍ମୀମାନେ ଆକ୍ରମଣ କରିଥିଲେ ଏବଂ ସେ ଆହତ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଶତାଧିକ ଶ୍ରମିକ ସେଠାରେ ପହଞ୍ଚି ଆସିଷ୍ଟାଣ୍ଟ କମାଣ୍ଡେଣ୍ଟଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ସେଠାରେ ଧାରଣା ଦେଇଥିଲେ ।

ପରେ ଶ୍ରମିକମାନେ ଏଣିକି ବଳପୂର୍ବକ ବିଶୋଧନାଗାରରେ ପ୍ରବେଶ କରିବେ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version