ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁଲାଇ ୨(ଓଡ଼ିଶା ଡ଼ଟ୍ କମ୍) ସର୍ବଭାରତୀୟ ସ୍ତରରେ ଚାକିରି କରୁଥିବା ଅଫିସର ମାନଙ୍କ ସର୍ଭିସ ରେକର୍ଡ଼ ସମୀକ୍ଷା ପାଇଁ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଲେଖିଛନ୍ତି ।
ଏ ସଂପର୍କରେ ସ୍ୱତନ୍ତ୍ର କମିଟି ଗଠନ କରିବାକୁ କେନ୍ଦ୍ର ସରକାର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପତ୍ର ଲେଖିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇଏଏସ୍ ଅଫିସରଙ୍କ ସର୍ଭିସ ରେକର୍ଡ଼ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହେବ ।
ସରକାର ଏ ସଂପର୍କିତ ଚିଠି ପାଇଛନ୍ତି ଏବଂ ଖୁବ୍ ଶୀଘ୍ର ବିଭିନ୍ନ କମିଟି ଗଠନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କହିଛନ୍ତି ।
କମିଟିରେ ସର୍ବାଧିକ ସ୍କେଲ ପାଉଥିବା ଏହି କ୍ୟାଡ଼ରର ଜଣେ ଅଫିସର, ସର୍ବାଧିକ ସ୍କେଲ ପାଉଥିବା ଅନ୍ୟ କ୍ୟାଡ଼ର ଜଣେ ଅଫିସର ଏବଂ ପ୍ରମୁଖ ଶାସନ ସଚିବ ସ୍ତରର ଜଣେ ଅଫିସର ସସ୍ୟ ରହିବେ ଏବଂ ନିଯୁକ୍ତି ବିଭାଗର ସଚିବ ଏହାର ସଦସ୍ୟ ସଂପାଦକ ରହିବେ ।
ସେହିପରି ଆଇପିଏଏସ୍ ଅଫିସର ମାନଙ୍କ ସର୍ଭିସ ରେଡ଼ର୍କ ସମୀକ୍ଷା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ ଏବଂ ଏଥିରେ ପୋଲିସ ଡ଼ିଜି, ଡ଼ିଜି ର୍ୟାଙ୍କର ବାହାର କ୍ୟାଡ଼ରର ଜଣେ ଅଫିସର ଓ ପ୍ରମୁଖ ସଚିବ ର୍ୟାଙ୍କର ଜଣେ ଅଫିସର ସସ୍ୟ ରହିବେ ଏବଂ ଗୃହ ବିଭାଗ ସଚିବ ଏହାର ସଦସ୍ୟ ସଂପାଦକ ରହିବେ ।
ଆଇଏଫ୍ଏସ୍ ଅଫିସର ମାନଙ୍କ ସର୍ଭିସ ରେଡ଼ର୍କ ସମୀକ୍ଷା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ ଏବଂ ଏଥିରେ ପିସିସିଏଫ୍, ପିସିସିଏଫ୍ ର୍ୟାଙ୍କର ବାହାର କ୍ୟାଡ଼ରର ଜଣେ ଅଫିସର ଓ ପ୍ରମୁଖ ସଚିବ ର୍ୟାଙ୍କର ଜଣେ ଅଫିସର ସଦସ୍ୟ ରହିବେ ଏବଂ ଜଙ୍ଗଲ ବିଭାଗ ସଚିବ ଏହାର ସଦସ୍ୟ ସଂପାଦକ ଭାବେ କାର୍ଯ୍ୟ କରିବେ ।
ସର୍ବଭାରତୀୟ ସ୍ତରରେ କାର୍ଯ୍ୟ କରୁଥିବା ଅଫିସରମାନେ ଆଗୁଆ ଅବସର ଗ୍ରହଣ କରିପାରିବେ । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କୁ ଚାକିରି ଶେଷ ପୂର୍ବରୁ ଅବ୍ୟାହତି ଦେଇ ପାରିବେ ଏବଂ ଏଥିପାଇଁ ତିନି ମାସ ଆଗରୁ ନୋଟିସ୍ ଦେବାକୁ ପଡ଼ିବ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେତେବେଳେ ପ୍ରଶାସନ ପାଇଁ ଜଣେ କର୍ମଚାରୀଙ୍କ ଆବଶ୍ୟକତା ନରହିବ ସେତେବେଳେ ସ୍ୱେଚ୍ଛାକୃତ ଅବସର ଦିଆଯାଇପାରିବ ।
ସର୍ବସାଧାରଣ ହିତ ପାଇଁ କର୍ମଚାରୀମାନେ ଏହା କରିପାରିବେ ଏବଂ ଏହା କୌଣସି ପ୍ରକାରରେ ଦଣ୍ଡ ନୁହେଁ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି । ଚାକିରିର ୧୫ ବର୍ଷ ପରେ କିମ୍ବା ସଂପୃକ୍ତ ଅଧିକାରୀଙ୍କୁ ୫୦ ବର୍ଷ ବୟସ ଅତିକ୍ରମ କରିବା ପରେ ସେମାନଙ୍କର ଚାକିରିର ସମୀକ୍ଷା କରାଯାଇ ନିଷ୍ପତି ନିଆଯିବ ବୋଲି ପତ୍ରରେ ଉଲ୍ଳେଖ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍