Site icon Odisha.com

ସେପ୍ଟେମ୍ବରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବିମାନସେବା ଯୋଜନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୩(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ସେପ୍ଟେମ୍ବର ମାସରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବିମାନ ସେବା ଆରମ୍ଭ କରିବାକୁ ପ୍ରସ୍ତାବ ରଖାଯାଇଥିବା ମଙ୍ଗଳବାର ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସୋମବାର ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟାନୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏସଂପର୍କିତ ବୈଠକରେ ଏହି ନିଷ୍ପତି ନିଆଯାଇଥିବା ବେଳେ ବୈଠକରେ ଏୟାର ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ରାଜ୍ୟ ଭିତରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ବିମାନ ସେବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆବଶ୍ୟକ ଅନୁମୋନ ଓ ପ୍ରମାଣପତ୍ର ପ୍ରଦାନ କରିସାରିଛନ୍ତି ।

ଏୟାର ଇଣ୍ଡିଆ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ଏହି ସେବା ଯୋଗାଇ ଦିଆଯିବ । ଭୁବନେଶ୍ୱର-ରାଉରକେଲା-କଲିକତା, ଭୁବନେଶ୍ୱର-ଝାରସୁଗୁଡ଼ା-କଲିକତା, ଭୁବନେଶ୍ୱର-ଭାଇଜାଗ୍-ରାୟପୁର ମଧ୍ୟରେ ପ୍ରଥମେ ବିମାନ ଚଳାଚଳ କରିବାକୁ ଯୋଜନା କରାଯାଇଛି ।

ଏହାବ୍ୟତୀତ କୋରାପୁଟ, ଅନୁଗୁଳ, ଝାରସୁଗୁଡ଼ା ଓ ଭୁବନେଶ୍ୱର ସହିତ ସଂଯୋଗ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତାବ ଦିଆଯାଇଥିବା ସେ କହିଛନ୍ତି । ଶୀତ ଋତୁରେ ତିରୁପତି ଓ ଶିରିଡ଼ିକୁ ବିମାନ ସେବା ଆରମ୍ଭ କରିବାକୁ ଯୋଜନା କରାଯାଇଛି ।

ବର୍ତମାନ ଦଶ ଆସନ ବିଶିଷ୍ଟ ଏୟାର କ୍ରାଫ୍ଟ ଚଳାଚଳ କରିବ ଓ ପରବର୍ତୀ ସମୟରେ ଆବ୍ୟକତାକୁ ଦୃଷ୍ଟିରେ ରଖି ୧୯ ଆସନ ବିଶିଷ୍ଟ ଏୟାର କ୍ରାଫ୍ଟ ଚାଲିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version