Site icon Odisha.com

ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ନାଲ୍କୋକୁ ସରକାରଙ୍କ ପ୍ରସ୍ତାବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୩(ଓଡ଼ିଶା ଡ଼ଟ୍ କମ୍) ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ନ୍ୟାସନାଲ ଆଲୁମିନିୟମ କମ୍ପାନୀ(ନାଲ୍କୋ)କୁ ସରକାର ପ୍ରସ୍ତାବ ଦେଇଛନ୍ତି ।

ପାରିପାର୍ଶ୍ୱିକ ବିକାଶ ଓ ସାମାଜିକ ଅଙ୍ଗିକାର ବଦ୍ଧତା ସ୍ୱରୂପ ନାଲ୍କୋ ଏହି ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ସରକାର କହିଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନାଲ୍କୋ ସିଏମ୍ଡି ବିଏଲ୍ ବାଗ୍ରାଙ୍କୁ ଏକ ପତ୍ର ଲେଖି ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସ୍ତାବ ଦେଇଛନ୍ତି ଏବଂ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ସହ ଆସନ୍ତା ୫ ତାରିଖ ହେବାକୁ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୈଠକରେ ଯୋଗ ବୋକୁ କହିଛନ୍ତି ।

ଏନ୍ଟିପିସି ଏବଂ ଏମ୍ସିଏଲ୍ ଓଡିଶାରେ ସେମାନଙ୍କ ବ୍ୟବସାୟିକ ଅପରେସନ କରୁଛନ୍ତି ଏବଂ ଉଭୟ ରାଜ୍ୟରେଦୁଇଟି ମେଡିକାଲ କଲେଜ ଓ ହସ୍ପିଟାଲ କରିବାକୁ ରାଜି ହୋଇଛନ୍ତି । ତେଣୁ ନାଲ୍କୋ ଏକ ମେଡିକାଲ କଲେଜ କରିବା ଆବଶ୍ୟକ ବୋଲି ଏହି ପତ୍ରରେ ଉଲ୍ଲେଖ କରାଯାଇଛି ।

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ ଓଡିଶାରେ ତା’ର ବ୍ୟବସାୟିକ ଅପରେସନ କରି ହଜାର ହଜାର କୋଟି ଟଙ୍କା ଲାଭ କରୁଛି । ତେଣୁ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ଉଦ୍ୟୋଗ ପଦକ୍ଷେପ ନେବା ବାଞ୍ଛନୀୟ ବୋଲି ମହାପାତ୍ର ପତ୍ରରେ ଉଲ୍ଲେଖ କରିଛନ୍ତି ।

ସଂପୃକ୍ତ ଅଞ୍ଚଳରେ ନାଲ୍କୋ ପକ୍ଷରୁ ମେଡିକାଲ କଲେଜ କରାଗଲେ ଏଥିପାଇଁ ଦରକାର ହେଉଥିବା ହସ୍ପିଟାଲ ସରକାର ଯୋଗାଇ ଦେଇପାରିବେ । ୬୦୦ ଶଯ୍ୟା ବିଶିଷ୍ଟ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସରକାର ନାଲ୍କୋ ମେଡିକାଲ କଲେଜ ସହ ସଂପୃକ୍ତ କରାଇପାରିବେ । ତେବେ ନାଲ୍କୋ ପ୍ରଥମେ ଏହି ମେଡିକାଲ କଲେଜ ଲାଗି ଆଗକୁ ଆସିବା ଉଚିତ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version