Site icon Odisha.com

ପାରାଦ୍ଵୀପ: ଆଇଓସିଏଲ୍-ଶ୍ରମିକ ସଂଗଠନ ବୈଠକ ବିଫଳ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜୁଲାଇ ୪(ଓଡ଼ିଶା ଡ଼ଟ୍ କମ୍) ପାରାଦ୍ଵୀପ ସ୍ଥିତ ତୈଳ ବିଶୋଧନାଗାରରେ ହୋଇଥିବା ଗୁଳିମାଡ଼ ଘଟଣା ନେଇ ବୁଧବାର କାରଖାନା କର୍ତୃପକ୍ଷ ଓ ଶ୍ରମିକ ସଂଗଠନ ମଧ୍ୟରେ ଅନୁଷ୍ଠିତ ବୈଠକ ବିଫଳ ହୋଇଛି ।

ଘଟଣାର ଆର୍ଡ଼ିସି ତଦନ୍ତ ଦାବିରେ ସଂଗଠନ ଗୁଡ଼ିକ ଆନ୍ଦୋଳନ ଚଳାଇଥିବା ବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି ।

ବିଶୋଧନାଗାରରେ ହୋଇଥିବା ଗୁଳିକାଣ୍ଡ ଓ ଏହାର ପରବର୍ତୀ ଘଟଣା ନେଇ ଆଲୋଚନା କରିବାକୁ ଲିଖିତ ଅନୁରୋଧ ପାଇବା ପରେ ଆଠଟି ସଂଗଠନର କର୍ମମର୍ତାମାନେ ବିଶୋଧନାଗାରରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ । ତେବେ ଏହି ବୈଠକରେ ସିଆଇଏସ୍ଏଫ୍ କର୍ତୃପକ୍ଷ ଯୋଗ ଦେଇନଥିଲେ ।

ତେବେ ତୈଳ ନିଗମ କର୍ତୃପକ୍ଷ ଜିଲ୍ଲା ପ୍ରଶାସନର ଅଧିକାରୀ କିମ୍ବା ପୋଲିସର ଅନୁପସ୍ଥିତରେ ବୈଠକ କରିଥିବାରୁ ଶ୍ରମିକ ସଂଗଠନ ଗୁଡ଼ିକ ଏହାକୁ ବର୍ଜନ କରିଥିଲେ ।

ଘଟଣାର ତିନିଦିନ ବିତିଯାଇଥିଲେ ମଧ୍ୟ କାରଖାନା ଅଧିକାରୀ ଆହତଙ୍କୁ ସାକ୍ଷାତ କରିବାକୁ ଯାଇନଥିବାରୁ ସଂଗଠନ ଗୁଡ଼ିକ ପକ୍ଷରୁ ନିନ୍ଦା କରାଯାଇଛି । ଶ୍ରମିକଙ୍କ ଉପରେ ଗୁଳି ମାଡ଼ କରିଥିବା ସିଆଇଏସ୍ଏଫ୍ ଯବାନଙ୍କ ବିରୁଦ୍ଧରେ ବର୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ଏହି ଘଟଣାର ସମାଧାନ ପାଇଁ କାରଖାନା କର୍ତୃପକ୍ଷଙ୍କ ଉଚ୍ଛା ନାହିଁ । ତେଣୁ ଶ୍ରମିକଙ୍କ ସହ ସେମାନେ ଖେଳୁଛନ୍ତି ବୋଲି ପୂର୍ବାଞ୍ଚଳ ତୈଳ ବିଶୋଧନାଗାର ଶ୍ରମିକ ସଂଗଠନର ସଂପାଦକ ରଞ୍ଜନ ପଲେଇ ଅଭିଯୋଗ କରିଛନ୍ତି ।

ତେବେ ବୈଠକୁ ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ ପୋଲିସକୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ କୌଣସି କାରଣରୁ ସେମାନେ ଯୋଗ ଦେଇପାରିନଥିଲେ । ତେଣୁ ଶ୍ରମିକ ସଂଗଠନ ଆଲୋଚନା କରିବାକୁ ମନା କରିଦେଇଥିଲେ ବୋଲି ଆଇଓସିଏଏଲ୍ ଉପ ମହାପ୍ରବନ୍ଧକ ନିରୋଦ କୁମାର ଦାସ କହିଛନ୍ତି ।

ଗୁଳିମାଡ଼ରେ ଆହତ ବ୍ୟକ୍ତିଙ୍କ ସମସ୍ତ ଡ଼ାକ୍ତରୀ ଖର୍ଚ୍ଚ ଭାରତୀୟ ତୈଳ ନିଗମ ବହନ କରିବା ସହ ଠିକା ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରିବାକୁ ସଂଗଠନ ଗୁଡ଼ିକ ପକ୍ଷରୁ ଦାବି କରାଯାଇଛି ।

ତୈଳ ବିଶୋଧନାଗାର ଶ୍ରମିକ ସଂଗଠନ, ଠିକା ଶ୍ରମିକ ସମବାୟ ସଂଘ ଏବଂ ମାଁ ବୈଦେହି ଶ୍ରମିକ ସଂଗଠନ ବିଶୋଧନାଗାରର ଚାରି ନମ୍ବର ଫାଟକ ଠାରେ ମଙ୍ଗଳବାର ଠାରୁ ଏହି ଆନ୍ଦୋଳନ ଜାରି ରଖିଛନ୍ତି ।

ତେବେ ଶିଳ୍ପ ସୁରକ୍ଷା ବାହୀନୀ(ସିଆଇଏସ୍ଏଫ୍) ଡ଼ିଆଇଜି ଘଟଣାର ତଦନ୍ତ ପାଇଁ ଗତକାଲି ସଂଧ୍ୟାରେ ପାରାଦ୍ଵୀପରେ ପହଞ୍ଚିଛନ୍ତି ।

ସୋମବାର କେତେକ ଶ୍ରମିକ ବିନା ଗେଟ୍ ପାସ୍ ରେ ବଳପୂର୍ବକ ବିଶୋଧନାଗାରର ଚାରି ନମ୍ବର ଫାଟକ ଦେଇ ଭିତରକୁ ଯିବାକୁ ଚେଷ୍ଟା କରିଥିବା ବେଳେ ସିଆଇଏସ୍ଏଫ୍ ଯବାନଙ୍କ ସହ ସେମାନଙ୍କର ବଚସା ହୋଇଥିଲା ।

ଏହି ଘଟଣାକୁ ନେଇ ସୁରକ୍ଷା କର୍ମୀମାନେ ଶ୍ରମିକଙ୍କ ଉପରକୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଥିଲା ଏବଂ ଏଥିରେ ଆଠ ଜଣ ଶ୍ରମିକ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version