Site icon Odisha.com

ବ୍ରାଉନ ସୁଗାର କାରବାର,ଚାରି ଇଞ୍ଜିନିୟରିଂ ଛାତ୍ର ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ଜୁଲାଇ ୪(ଓଡ଼ିଶା ଡ଼ଟ୍ କମ୍) ବ୍ରାଉନ ସୁଗାର କାରବାର ଅଭିଯୋଗରେ ବୁଧବାର ବାଲେଶ୍ୱରରୁ ଅବକାରୀ ଏବଂ ରେଳବାଇ ପୋଲିସ ଚାରି ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ବାଲେଶ୍ୱର ରେଳଷ୍ଟେସନରୁ ଗିରଫ ହୋଇଥିବା ଏହି ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧାର ସିଦ୍ଧାର୍ଥ ବଳିଆର ସିଂ, ନବରଙ୍ଗପୁରର ଅମରେନ୍ଦ୍ର ସମରାଜ, ଜଳେଶ୍ୱରର ବିଶ୍ୱଜିତ ସିଂ, ରୁପ୍ସାର କୃଷ୍ଣଚନ୍ଦ୍ର ରାଉତ ଏବଂ କମର୍ଦ୍ଧାର ଗୋପୀ କିଷନ ଜେନା ।

କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଓ ରେଳବାଇ ପୋଲିସ ଦୁଇ ନମ୍ବର ପ୍ଲାଟଫର୍ମରେ ଚଢାଉ କରି ଅଭିଯୁକ୍ତମାନେ ଭୁବନେଶ୍ୱର ଯିବା ପାଇଁ ଟ୍ରେନ୍ କୁ ଅପେକ୍ଷା କରିଥିବା ବେଳେ ସେମାନଙ୍କୁ ଗିରଫ କରିଛି ।

ସେମାନଙ୍କ ଠାରୁ ୧୧୯ଟି ପ୍ୟାକେଟ୍ ରୁ ଆଠ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କା ହେବ । ଏହା ସହ ସେମାନଙ୍କ ଠାରୁ ଛଅଟି ମୋବାଇଲ ଫୋନ୍ ଏବଂ ୩୨୦ ଟଙ୍କା ଜବତ ହୋଇଥିବା ସେ କହିଛନ୍ତି ।

ଅମରେନ୍ଦ୍ର, ବିଶ୍ୱଜିତ, ଏବଂ ଗୋପୀ କିଷନ ଭୁବନେଶ୍ୱର ସ୍ଥିତ ତିନୋଟି ଘରୋଇ ଇଂଜିନିୟରିଂ କଲେଜରେ ପାଠ ପଢୁଥିବା ବେଳେ କୃଷ୍ଣଚନ୍ଦ୍ର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ବୋଲି ଅବକାରୀ ସବ୍ ଇନ୍ସ୍ପେକ୍ଟର ଅଜୟ କୁମାର ବେହେରା କହିଛନ୍ତି ।

ରାଜଧାନୀରେ କୌଣସି ର୍ୟାକେଟ ପାଇଁ ଏମାନେ କାମ କରୁଛନ୍ତି କି ନାହିଁ ସେ ସଂପର୍କରେ ଜାଣିବା ନିମନ୍ତେ ତଦନ୍ତ ଚାଲିଥିବା ସେ କହିଛନ୍ତି । ଅବକାରୀ ବିଭାଗ ଅଧିକାରୀମାନେ ମଙ୍ଗଳବାର ରବି ସେନ୍ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତା’ଠାରୁ ୨ ଲକ୍ଷ ୫୦ ହଜାର ଟଙ୍କାର ୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version