Site icon Odisha.com

ଦୁରାରୋଗ୍ୟରେ ପୀଡ଼ିତ ସମସ୍ତ ଗରିବଙ୍କୁ ସହାୟତା ପାଇଁ ନିଷ୍ପତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୫(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ ଦୁରାରୋଗ୍ୟରେ ପୀଡ଼ିତ ସମସ୍ତ ଗରିବ ପରିବାରଙ୍କୁ ସରକାର ରାଜ୍ୟ ଚିକିତ୍ସା ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି ।

ଏହି ସୁବିଧା ଘରୋଇ ଓ ସରକାରୀ ଡ଼ାକ୍ତରଖାନାରେ ଉପଲବ୍ଧ ହେବ ବୋଲି ବୁଧବାର ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁହାଯାଇଛି ।

ଚିକିତ୍ସା ପାଣ୍ଠି ବାବଦରେ ଦଶ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ସମସ୍ତ ଜିଲ୍ଲା ସଦର ମହକୁମା ଡ଼ାକ୍ତରଖାନାକୁ ଦଶ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି । ଯେଉଁ ରୋଗୀମାନେ ଏହି ଯୋଜନାର ସର୍ତ ଅନୁସାରେ ଯୋଗ୍ୟ ବିବେଚିତ ହେବେ ସୋନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ବୈଠକ ପରେ କହିଛନ୍ତି ।

ରାଜ୍ୟ ଚିକିତ୍ସା ପାଣ୍ଠି ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ମିଳିତ ଭାବେ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି । ଏହାବ୍ୟତୀତ ଏହି ସୁବିଧା କେବଳ ସରକାରୀ ଡ଼ାକ୍ତରଖାନାରେ ଏହାକୁ ବ୍ୟାପକ କରି ଘରୋଇ ଡ଼ାକ୍ତରଖାନା ଗୁଡ଼ିକରେ ଉପଲବ୍ଧ କରିବାକୁ ସ୍ଥିର କରାଯାଇଛି ।

ସେଥିପାଇଁ ଆଠଟି ଡ଼ାକ୍ତରଖାନାକୁ ଚିହ୍ନଟ କରାଯାଇଛି । ଏହି ଡ଼ାକ୍ତରଖାନା ଗୁଡ଼ିକ ହେଲା କଳିଙ୍ଗ ହସ୍ପିଟାଲ, ହାଇଟେକ୍ ହସ୍ପିଟାଲ, ଆପୋଲୋ, ସମ୍, ଆୟୁଷ ଏବଂ ଆଇଏମ୍ଏସ୍, କଟକ ସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲ ଓ ନିଆଳି ସ୍ଥିତ ଚିତ୍ତରଞ୍ଜନ ସେବା ସନ ।

ଏହାବ୍ୟତୀତ ଭାଇଜାକ୍ ର ୫ଟି ହସ୍ପିଟାଲକୁ ଏହି ଯୋଜନାରେ ସାମିଲ କରିବାକୁ ନିଷ୍ପତି ହୋଇଛି । ଏହାଦ୍ୱାରା କଳାହାଣ୍ଡି, କୋରାପୁଟ ଜିଲ୍ଲାର ଲୋକମାନେ ସେଠାରେ ଚିକିତ୍ସିତ ହୋଇପାରିବେ । ଯୋଜନା ବାବଦରେ ଲୋକଙ୍କୁ ଅଧିକ ସୂଚନା ଦିଆଯିବା ସହ ସଚେତନ କରାଯିବ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version