Site icon Odisha.com

ରାଜଧାନୀରେ ପୁଣି ହାଜତ ମୃତ୍ୟୁ ଅଭିଯୋଗ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୪(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱରରେ ବୁଧବାର ଥାନା ହାଜତରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ଏହାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ପାଇଁ ସୁପାରିସ କରାଯାଇଛି ।

ବାଲିଅନ୍ତା ଥାନା ଅନ୍ତର୍ଗତ ବଇଁଚୁଆ ଗାଁର ସଞ୍ଜୟ ଦାସ ନାମକ ବ୍ୟକ୍ତି ମଙ୍ଗଳବାର ସଂଧ୍ୟାରେ ରସୁଲଗଡ଼ ଛକରେ ଛିଡ଼ା ହୋଇଥିବା ଏକ ଟ୍ରକ୍ କୁ ବ୍ୟାଟାରୀ ଚୋରି କରୁଥିବା ବେଳେ କେତେକ ଡ୍ରାଇଭର ଓ ହେଲ୍ପର ତାଙ୍କୁ ଧରି ମାଡ଼ ମାରିଥିବା ପୋଲିସ କହିଛି ।

ସେଠାରୁ ପୋଲିସ ତାଙ୍କୁ ମଞ୍ଚେଶ୍ୱର ଥାନାକୁ ଆଣିଥିଲା ଓ ସେ ଅସୁସ୍ଥ ଅନୁଭବ କରିବାରୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲା । ଚିକିତ୍ସା ପରେ ସଙ୍ଗେ ସଙ୍ଗେ ତାକୁ ହାଜତରେ ଆଣି ରଖାଯାଇଥିଲା ।

ଆଜି ପୁଣି ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେବାରୁ ଏକ ଘରୋଇ ଡ଼ାକ୍ତରଖାନାକୁ ନିଆଯାଇଥିଲା ଓ ସେଠାରେ ପହଞ୍ଚିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସଞ୍ଜୟଙ୍କୁ ଥାନା ହାଜତରେ ପିଟି ପିଟି ମାରି ଦିଆଯାଇଥିଲା ତାଙ୍କର ବଡ଼ଭାଇ ଅଜୟ ଦାସ ଅଭିଯୋଗ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version