Site icon Odisha.com

ହାଜତ ମୃତ୍ୟୁ: ରିପୋର୍ଟ ଦେବାକୁ ଡ଼ିସିପିଙ୍କୁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୫(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱରରେ ଥାନା ହାଜତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ ସଂପର୍କରେ ତଦନ୍ତ ରିପୋର୍ଟ ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣା ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ଖବରକୁ ଆଧାର କରି କମିଶନ ନିଜଆଡ଼ୁ ଦୁଇ ସପ୍ତାହ ମଧ୍ୟରେ ଏହି ରିପୋର୍ଟ ଦେବାକୁ ଡିସିପିଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି ।

ବାଲିଅନ୍ତା ଥାନା ଅନ୍ତର୍ଗତ ବଇଁଚୁଆ ଗାଁର ସଞ୍ଜୟ ଦାସ ନାମକ ବ୍ୟକ୍ତି ମଙ୍ଗଳବାର ସଂଧ୍ୟାରେ ରସୁଲଗଡ଼ ଛକରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ରୁ ବ୍ୟାଟାରୀ ଚୋରି କରୁଥିବା ବେଳେ କେତେକ ଡ୍ରାଇଭର ଓ ହେଲ୍ପର ତାଙ୍କୁ ଧରି ମାଡ଼ ମାରିଥିବା ପୋଲିସ କହିଛି ।

ସେଠାରୁ ପୋଲିସ ତାଙ୍କୁ ମଞ୍ଚେଶ୍ୱର ଥାନାକୁ ଆଣିଥିଲା ଓ ସେ ଅସୁସ୍ଥ ଅନୁଭବ କରିବାରୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲା । ଚିକିତ୍ସା ପରେ ସଙ୍ଗେ ସଙ୍ଗେ ତାକୁ ହାଜତରେ ଆଣି ରଖାଯାଇଥିଲା ।

ବୁଧବାର ପୁଣି ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେବାରୁ ଏକ ଘରୋଇ ଡ଼ାକ୍ତରଖାନାକୁ ନିଆଯାଇଥିଲା ଓ ସେଠାରେ ପହଞ୍ଚିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସଞ୍ଜୟଙ୍କୁ ଥାନା ହାଜତରେ ମାଡ଼ମାରିବା ଯୋଗୁଁ ତା’ର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version