Site icon Odisha.com

ଇଣ୍ଡିଆନ୍ ଆଇଡ଼ଲ ଟପ୍ ଟେନ୍ ରେ ଓଡ଼ିଆ ଝିଅ ସୋହିନୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଜୁଲାଇ ୭(ଓଡ଼ିଶା ଡ଼ଟ୍ କମ୍):ଘରୋଇ ମନୋରଞ୍ଜନ ଟିଭି ଚ୍ୟାନେଲ ସୋନିରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ଇଣ୍ଡିଆନ ଆଇଡ଼ଲରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଛନ୍ତି ଓଡ଼ିଶାର ସୋହିନୀ ମିଶ୍ର ।

କଟକ ସହରର ଝିଅ ସୋହିନୀ ଶାସ୍ତ୍ରୀୟ ସଙ୍ଗୀତରେ ନିଜ ଯାଦୁ ଦେଖାଇ ସମଗ୍ର ଦେଶବାସୀଙ୍କୁ ଚକିତ କରିଦେଇଛନ୍ତି । ସେ ଗାଇଥିବା ଗୀତ ଶୁକ୍ରବାର ଉକ୍ତ ଚ୍ୟାନେଲରେ ପ୍ରସାରିତ ହୋଇଛି ।

ଏହି କାର୍ଯ୍ୟକ୍ରମର କୋଲକାତା ଅଡ଼ିସନ୍ ରେ ସେ ‘ସୀମା’ ଚଳଚ୍ଚିତ୍ରର ଲତା ମଙ୍ଗେସ୍କରଙ୍କ ‘ମନମୋହନା ବଡ଼ି ଝୁଟେ’ ଗୀତ ଗାଇ ବିଚାରକମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିେଇଥିଲେ ।

ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ, ସୁନିଧି ଚୌହାନ୍, ଏହି କାର୍ଯ୍ୟକ୍ରମରେ ବିଚାରକରିଥିବା ବେଳେ ବିଶିଷ୍ଟ ଗାୟିକା ଆଶା ଭୋସ୍ଲେ ମହାଗୁରୁ ଭାବେ ଯୁବଗାୟକ ଗାୟିକାମାନଙ୍କ ଗାୟନଶୈଳୀ ପରଖୁଛନ୍ତି ।

ସୋହିନୀ ରେଭେନ୍ସା ବିଶ୍ୱଦିଦ୍ୟାଳୟର ଏମ୍ଏସ୍ସି ବାୟୋ-ଟୋକ୍ନୋଲୋଜିର ଦ୍ୱିତୀୟ ବର୍ଷର ଛାତ୍ରୀ । ରାଜ୍ୟବାସୀଙ୍କ ଶ୍ରଦ୍ଧା ଓ ସମର୍ଥନ ହିଁ ସୋହିନୀଙ୍କୁ ଆଗକୁ ଯିବାର ମାର୍ଗ ପ୍ରଦର୍ଶିତ କରିବ ତାଙ୍କ ପିତାମାତା କହିଛନ୍ତି ।

ତାଙ୍କ ପ୍ରତି ସମର୍ଥନ ଜଣାଇବା ନିମନ୍ତେ ମୋବାଇଲର ମେସେଜ୍ ବକ୍ସରେ ଇଂରାଜୀରେ ଆଇଡ଼ଲ ସ୍ପେସ ଦେଇ ଏସ୍ଓଏଚ୍ ଲେଖି ୫୨୫୨୫କୁ ପଠାଇବାକୁ ସେମାନେ ଅନୁରୋଧ କରିଛନ୍ତି ।

ତାଙ୍କ ମାତାପିତା ଉଭୟ ଆକାଶବାଣୀ ଓ ଦୁରଦର୍ଶନର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହୋଇଥିବା ବେଳେ ପିତା ଖ୍ରୀଷ୍ଟ କଲିଜିଏଟ୍ ସ୍କୁଲରେ ବିଜ୍ଞାନ ଓ ଗଣିତ ଶିକ୍ଷକ ଭାବେ କାର୍ଯ୍ୟରତ ।

ପିଲାଟିଦିନରୁ ସଙ୍ଗୀତ ପ୍ରତି ରୁଚି ରଖିଥିବା ସୋହିନୀ ୫ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ଗୁରୁ ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥିଙ୍କ ଠାରୁ ସେ ଶାସ୍ତ୍ରୀୟ ସଙ୍ଗୀତରେ ବିଶାରଦ ଶିକ୍ଷାଲାଭ କରୁଛନ୍ତି ।

ସୋହିନୀ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱକୃତୀପ୍ରାପ୍ତ କଣ୍ଠଶିଳ୍ପୀ ହୋଇଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମ୍ୱେଡ଼୍ସ ପ୍ରିୟା’, ‘ହାଏ ଡ଼ାର୍ଲିଂ’, ‘କଟକ ସିଲ୍ଭର ସିଟି’, ‘ଥୁକୁଲ’ ଆଦିରେ କଣ୍ଠଦାନ କରିଛନ୍ତି ।

ଭବିଷ୍ୟତରେ ବଲିଉଡ଼୍ ରେ ଜଣେ ସୁନାମଧନ୍ୟ ପ୍ରଚ୍ଛଦପଟ୍ଟ ଗାୟିକା ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଶାସ୍ତ୍ରୀୟ ସଙ୍ଗୀତକୁ ଅଧିକ ପ୍ରାଧାନ୍ୟ ଦେଉଥିବା ସୋହିନୀ ଲତାଜୀ ତାଙ୍କ ଜୀବନର ଆଦର୍ଶ ବୋଲି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version